ଭାରତରେ ବଢ଼ି ଚାଲିଛି ତୀର୍ଥଯାତ୍ରା ପର୍ଯ୍ୟଟନ; ପୁରୀ ଓ ବାରାଣସୀ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ

ମୁମ୍ବାଇ: ସମ୍ପ୍ରତି ଦେଶରେ ବଢ଼ି ଚାଲିଛି ତୀର୍ଥାଟନଭିତ୍ତିକ ପର୍ଯ୍ୟଟନ। ଓଡ଼ିଶାର ପୁରୀ ଏବଂ ଉତ୍ତର ପ୍ରଦେଶର ବାରାଣସୀ ଭଳି ଜନପ୍ରିୟ ତୀର୍ଥକୁ ଅଧିକରୁ ଅଧିକ ସଂଖ୍ୟକ ଭାରତୀୟ ଯାତ୍ରାରେ ଯାଉଛନ୍ତି।

ଟ୍ରାଭେଲ୍‌ ମାର୍କେଟ୍‌ପ୍ଲେସ୍‌ ଇଜିଗୋ ରିପୋର୍ଟ ଅନୁସାରେ, ମାସକୁ ମାସ ପୁରୀରେ ୬୦%, ବାରାଣସୀରେ ୪୮%, ଆନ୍ଧ୍ରପ୍ରଦେଶର ତିରୁପତିରେ ୩୪% ଏବଂ ମହାରାଷ୍ଟ୍ରର ଶିରିଡ଼ିରେ ୧୯% ହୋଟେଲ୍‌ ବୁକିଙ୍ଗ୍‌ ବଢ଼ିଚାଲିଛି।

ଇଜିଗୋର ସହ-ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଆଲୋକ ବାଜପେୟୀ କହନ୍ତି: ହୋଟେଲ୍‌ ବୁକିଙ୍ଗ୍‌ ବୃଦ୍ଧି ହାରକୁ ଚାହିଁ ଆମେ କହି ପାରିବା ଯେ ଏବେ ଭାରତରେ ଅସ୍ୱାଭାବିକ ଭ୍ରମଣ ସୁଅ ଛୁଟିଛି।

ଧାର୍ମିକ ସହରମାନଙ୍କୁ ଯାତ୍ରା କରିବାକୁ ୧୩% ଆଉଟ୍‌ବାଉଣ୍ଡ୍‌ ଟ୍ରେନ୍‌ ସର୍ଚରେ ଥାଇ ଲକ୍ଷ୍ନୌ ଏହି ରିପୋର୍ଟର ଶୀର୍ଷରେ ରହିଛି। ତା’ପଛକୁ ମୁମ୍ବାଇ ୭%, ଦିଲ୍ଲୀ ୫% ଏବଂ ହାଇଦ୍ରାବାଦ ୬%ରେ ରହିଛି।

ଭାରତ ମଧ୍ୟରେ ୬୦% ଭ୍ରମଣ ତୀର୍ଥାଟନ ଭିତ୍ତିକ ହୋଇଥିବାରୁ ଏହା ଘରୋଇ ପର୍ଯ୍ୟଟନ ଶିଳ୍ପର ସବୁଠୁ ବଡ଼ ବଜାର ଭାବେ ଅଭିହିତ ହୋଇଥାଏ ବୋଲି ବାଜପେୟୀ କହିଛନ୍ତି।

ବଢ଼ି ଚାଲିଥିବା ଏଭଳି ପର୍ଯ୍ୟଟନ ଧାରାକୁ ସହାୟତା ଦେବାକୁ ଯାଇ ସରକାର ଧାର୍ମିକସ୍ଥଳ ସବୁରେ ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ୍‌ ବ୍ୟବସ୍ଥା କରିଛନ୍ତି।

ଏହା ସହ ତୀର୍ଥସ୍ଥଳ ସବୁରେ ପର୍ଯ୍ୟଟନ ବଢ଼ାଇବାକୁ ନୂଆ ପ୍ରକଳ୍ପ, ସର୍କିଟ୍‌ସ୍‌ ଏବଂ ଟ୍ରେନ୍‌ ରୁଟ୍‌ ଆଦି ସ୍ଥାପନା କରାଯାଉଛି।

ସମ୍ବନ୍ଧିତ ଖବର