ଏସପି ନେତା ଆଜମ ଖାନ୍‌ ୟୁପି ବିଧାନସଭାରୁ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି (ଏସପି) ନେତା ତଥା ରାମପୁର ବିଧାୟକ ଆଜମ ଖାନଙ୍କୁ ଶୁକ୍ରବାର ଦିନ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ (ୟୁପି) ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଶୁକ୍ରବାର ସନ୍ଧ୍ୟାରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୯ର ଏକ ଘୃଣ୍ୟ ଭାଷଣ ମାମଲାରେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡ ସହିତ ୨,୦୦୦ ଟଙ୍କାର ଆର୍ଥିକ ଜରିମାନାରେ ଦଣ୍ଡିତ କରାଯିବାର ଗୋଟିଏ ଦିନ ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ କାରାଦଣ୍ଡର ଅବଧି ଦୁଇ ବର୍ଷରୁ ଅଧିକ ହୋଇଥିବାରୁ ଖାନ ବିଧାନସଭା ସଦସ୍ୟତା ହରାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୩ର ସୁପ୍ରିମ୍‌ କୋର୍ଟଙ୍କ ରାୟ ଅନୁଯାୟୀ, ଯଦି ଜଣେ ବିଧାୟକ, ଏମଏଲସି କିମ୍ବା ସାଂସଦ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ସର୍ବନିମ୍ନ ଦୁଇ ବର୍ଷ ପାଇଁ ଜେଲରେ ରଖନ୍ତି ତେବେ ସେ ତୁରନ୍ତ ପ୍ରଭାବରେ ଗୃହର ସଦସ୍ୟତା ହରାଇବେ।

ଆଜମ ଖାନ ୨୦୧୯ ଲୋକସଭା ନିର୍ବାଚନରେ ରାମପୁର (ୟୁପି)ରୁ ଜିତିଥିଲେ। କିନ୍ତୁ ମାର୍ଚ୍ଚ ୨୦୨୨ରେ ୟୁପି ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବା ପରେ ସେ ଏହି ଆସନ ଖାଲି କରିଥିଲେ। ସେ ଏସପି ନେତା ସୀତାପୁର ଜେଲରେ ବନ୍ଦୀ ଥିବାବେଳେ ରାମପୁରରୁ ୨୦୨୨ ବିଧାନସଭା ନିର୍ବାଚନରେ ଜିତିଥିଲେ।
ଗୁରୁବାର ଦିନ ସମାଜବାଦୀ ପାର୍ଟି ନେତା ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଘୃଣା ଭାଷଣ ମାମଲାରେ ୨,୦୦୦ ଟଙ୍କାର ଜରିମାନା ସହିତ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ତଥାପି, ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ଏବଂ ଦଣ୍ଡାଦେଶ ବିରୋଧରେ ଉପର ଅଦାଲତରେ ଆବେଦନ କରିବାକୁ ଏକ ସପ୍ତାହ ସମୟ ଦିଆଯାଇଛି।

ସମ୍ବନ୍ଧିତ ଖବର