‘ସ୍ପୁଟନିକ୍‌-ଭି’ର ପ୍ରାରମ୍ଭିକ ପରୀକ୍ଷଣ ଫଳପ୍ରଦ : ଆସନ୍ତା ସପ୍ତାହରେ ୪୦ ହଜାର ବ୍ୟକ୍ତିଙ୍କ ଠାରେ ହେବ ପରୀକ୍ଷଣ

ଲାନ୍ସେଟ୍‌ ରିପୋର୍ଟ

ମସ୍କୋ : ଗତମାସରେ ରୁଷ୍‌ରେ ଲୋକାର୍ପିତ ହୋଇଥିବା ‘ସ୍ପୁଟନିକ୍‌-ଭି’ ନାମକ କୋଭିଡ୍‌-୧୯ ଟିକାକୁ ନେଇ ସକାରାତ୍ମକ ଖବର ଆସିଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ଫଳାଫଳ ଆଶାନୁରୂପ ଫଳପ୍ରଦ ରହିଛି ବୋଲି ଲାନ୍ସେଟ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଛି। ମୋଟାମୋଟି ୭୬ ଜଣ ସ୍ବେଚ୍ଛାସେବୀଙ୍କ ଠାରେ କରାଯାଇଥିବା ଏହି ସଂକ୍ଷିପ୍ତ ପ୍ରାରମ୍ଭିକ ମାନବୀୟ ପରୀକ୍ଷଣରେ ସ୍ବେଚ୍ଛାସେବୀଙ୍କ ଶରୀରରେ ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡି ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି। ଏଥିସହିତ କୌଣସି ପ୍ରକାର ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇନଥିବା ଏହି ରିପୋର୍ଟରେ କୁହାଯାଇଛି। ଟିକା ନେବାର ୪୨ ଦିନ ଯାଏ ତାହା ନିରାପଦ ମନେ ହେବା ସହ ୨୧ ଦିନ ଭିତରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାଯାଇଛି। ସେହିପରି ଉକ୍ତ ଟିକା ମଧ୍ୟ ୨୮ ଦିନ ଭିତରେ କରୋନା ଭୂତାଣୁ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ଟି-କୋଷିକା ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଗବେଷକମାନେ କହିଛନ୍ତି। ପଞ୍ଜୀକରଣ ପରବର୍ତ୍ତୀ ପରୀକ୍ଷଣ ଆସନ୍ତା ସପ୍ତାହରେ ମସ୍କୋରୁ ଆରମ୍ଭ ହେବ ବୋଲି ମସ୍କେର ମେୟର ସର୍ଗେଇ ସୋବ୍ୟାନିନ୍ କହିଛନ୍ତି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଶୁକ୍ରବାର ଅନଲାଇନରେ ମେୟର ଆଲୋଚନା ସମୟରେ କହିଛନ୍ତି। ଏଥିପାଇଁ ସବୁ ବ୍ୟବସ୍ଥା ପ୍ରସ୍ତୁତ ହୋଇ ରହିଛି। ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି। ଏହି ପର୍ଯ୍ୟାୟ ଟିକାକରଣ ପାଇଁ ଏପର୍ଯ୍ୟନ୍ତ ୫ ହଜାର ଲୋକ ସେମାନଙ୍କ ସମ୍ମତି ଦେଇ ସାରିଥିବାବେଳେ ପ୍ରାୟ ୪୦ ହଜାର ସ୍ବେଚ୍ଛାସେବୀ ଏଥିରେ ସାମିଲ ହେବେ ବୋଲି ଆଶା ରଖାଯାଇଛି।

ସୂଚନା ଥାଉ କି, ରୁଷିଆ ଦ୍ବାରା ବିକଶିତ ଏହି ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆରମ୍ଭ ହେବା ପୂର୍ବରୁ ଏହାକୁ ଅଗଷ୍ଟ ୧୨ରେ ଲୋକାର୍ପିତ କରାଯାଇଥିଲା। ମାତ୍ର କୌଣସି ଟିକାର ସାର୍ବଜନୀନ ବ୍ୟବହାର ପୂର୍ବରୁ ତାହାର ନିରାପତ୍ତା ଓ ଫଳପ୍ରଦତା ସ୍ପଷ୍ଟ କରିବା ଲାଗି ତିନି ପର୍ଯ୍ୟାୟ ମାନବୀୟ ନୈଦାନିକ ପରୀକ୍ଷଣ ନିହାତି ଜରୁରୀ ହୋଇଥିବା ବେଳେ ରୁଷିଆ ସେତେବେଳକୁ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସାରିନଥିବା ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର