ଫାଇଜର୍‌ ପରେ ନୂଆ ଆଶା ସ୍ପୁଟନିକ-ଭି, ରୁଷିଆ ନିର୍ମିତ ଏହି କରୋନା ଟିକା ୯୧.୪ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ

ନୂଆଦିଲ୍ଳୀ: ମହାମାରୀ କରୋନା ଭାଇରସ୍‌ ମୁକାବିଲା ପାଇଁ ଟିକା ବାହାର କରିବାକୁ ଅନେକ ବଡ଼ ବଡ଼ ଫାର୍ମା କମ୍ପାନି ଧାଡ଼ିରେ ରହିଥିବା ବେଳେ ଅନେକ କମ୍ପାନି ଏବେ ସଫଳତାର ଦୁଆର ମୁହଁରେ। ଫାଇଜର୍‌ ପରେ ଏବେ ସଫଳତାର ନିକଟତର ହୋଇଛି ରୁଷିଆ ନିର୍ମିତ ଟିକା ସ୍ପୁଟନିକ-ଭି। ପରୀକ୍ଷଣରୁ ଜଣାପଡ଼ିଛି ‌ଯେ ଏହି ଟିକା ପ୍ରାୟ ୯୧.୪ ପ୍ରତିଶତ ସଫଳ ହୋଇଛି। ଆଗରୁ ଆମେ ଜାଣିିଛନ୍ତି ‌ଯେ ସ୍ପୁଟନିକ-ଭି ଟିକା ପ୍ରସ୍ତୁତ କରି ରୁଷିଆ କୋଭିଡ‌-୧୯ ଟିକା ପାଇଁ ମଞ୍ଜୁରୀ ଦେବାରେ ପ୍ରଥମ ଦେଶ ହୋଇଥିଲା।

ଏକ ରିପୋର୍ଟରୁ ଜାଣିବାକୁୁ ମିଳିଛି ଯେ ସ୍ପୁଟନିକ-ଭି ଟିକାର ପ୍ରଥମ ଡୋଜ୍‌ ଦିଆ ହେବାର ୨୧ ଦିନ ପରେ ଏହା ୯୧ ପ୍ରତିଶତରୁ ଅଧିକ ସଫଳ ହୋଇଛି ବୋଲି ଜାଣିବାକୁ ମିଳିଛି। ସ୍ବେଚ୍ଛାସେବୀମାନଙ୍କ ତଥ୍ୟ ବିଶ୍ଳେଷଣ ଉପରେ ଆଧାର କରି ଏହି ଆକଳନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଯଦିଓ କୋଭିଡ‌-୧୯ ଟିକା ପାଇଁ ମଞ୍ଜୁରୀ ପାଇବାରେ ସ୍ପୁଟନିକ-ଭି ପ୍ରଥମ, ମାତ୍ର ଏହି ଟିକା ପାଇଁ ଗତ ଅକ୍ଟୋବରରେ ବିଶ୍ବ ସମ୍ମୁଖରେ ଅପଦସ୍ତ ହୋଇଥିଲା ରୁଷିଆ। ସ୍ପୁଟ୍‌ନିକ-ଭି ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ଘୋଷଣା କରିବା ପରେ ଅଚାନକ ପରୀକ୍ଷଣ ବନ୍ଦ କରି ଦିିଆଯାଇଥିଲା। ‘ସ୍ପୁଟନିକ୍‌-ଭି’ର ପରୀକ୍ଷଣରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଟିକା ନଥିବାରୁ ପରୀକ୍ଷଣକୁ ଅଧାରୁ ବନ୍ଦ କରାଯାଇଥିବା ବେଳେ ମାତ୍ରାଧିକ ସ୍ବେଚ୍ଛାସେବୀଙ୍କ ସୁଅ ଛୁଟିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସଫେଇ ଦିଆଯାଇଥିଲା।

ଏପଟେ କୋଭିଡ୍‌-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ସେମାନଙ୍କ ପ୍ରସ୍ତୁତ ଟିକା ୯୫% ଫଳପ୍ରଦ ବୋଲି ଦାବି କରିଛନ୍ତି ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ । ତେଣେ, ରବିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ‘ଫାଇଜର୍‌’ କରୋନାଭାଇରସ୍‌ ଟିକା ପ୍ରଦାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର