ଦିଲ୍ଲୀର ଏହି ହସ୍ପିଟାଲରେ ଆସନ୍ତା ସପ୍ତାହରୁ ଉପଲବ୍ଧ ହେବ ରୂଷର ସ୍ପୁଟନିକ-ଭି ଟିକା, ପ୍ରତି ଡୋଜର ଦାମ ରହିଛି ୧୧୪୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଲାଗିରହିଥିବା ଟିକାଅଭାବ ସମସ୍ୟା ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଭାଇରସ ବିରୋଧରେ ଚାଲିଥିବା ଟିକାକରଣରେ ଜୁନ ୧୫ ତାରିଖରୁ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲରେ ଋଷ ଟିକା ସ୍ପୁଟିନିକ୍ –ଭି ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ଏହି ଟିକା କେଉଁ ଆଧାରରେ ଲଗାଯିବ ତାହା ସ୍ପଷ୍ଟ ହୋଇ ନଥିଲେ ବି ଯେତିକି ଟିକା ଆସିବ ସେହି ମୁତାବକ ଏହାକୁ ଟିକାକରଣରେ ସାମିଲ କରାଯିବ ବୋଲି ଆଶା କରାଯାଉଛି ।

ଦେଶରେ ମେ’ ୧୭ ତାରିଖରୁ ଋଷ ଟିକାର ବ୍ୟବହାର ଆରମ୍ଭ ହୋଇଛି । ଏହି ଟିକା ଆପୋଲୋ ହସ୍ପିଟାଲ ଓ ଡ.ରେଡ୍ଡି ଲ୍ୟାବର ସଂଯୁକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଆବଣ୍ଟିତ କରାଯାଉଛି । ମେ ୧୮ ତାରିଖରୁ ବିଶାଖାପାଟଣାରେ ବି ଦିଆଯାଉଛି । ଏହା ଆପୋଲୋ ହସ୍ପିଟାଲ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ବି ଉପଲବ୍ଧ ହେଉଛି ।

କେନ୍ଦ୍ର ସରକାର ଜାରି କରିଥିବା ଦର ଆଧାରରେ ଘରୋଇ ହସ୍ପିଟାଲରେ ସ୍ପୁଟନିକ-ଭି ଟିକାର ଗୋଟିଏ ଡୋଜ ୧୧୪୫ ଟଙ୍କା ରହିଛି । ବାହାରିନର ହେଲ୍ଥ ମିନିଷ୍ଟ୍ରୀ ଦ୍ୱାରା ଏହି ଟିକା ୯୪.୩ ପ୍ରତିଶତ ପ୍ରଭାବୀ ବୋଲି ଦାବି କରାଯାଇଛି ।

ଏବେ ଦେଶରେ ସ୍ପୁଟନିକ୍ –ଭି ଟିକା ଏକ ସୀମିତ ସ୍ତରରେ ବ୍ୟବହାର ହେଉଥିବା ବେଳେ ଏବେ ଦେଶରେ ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ବହୁଳ ବ୍ୟବହାର କରାଯାଉଛି ।

ସମ୍ବନ୍ଧିତ ଖବର