ସାର୍ବଜନୀନ ବ୍ୟବହାର ପାଇଁ ଆସିଲା ‘ସ୍ପୁଟନିକ୍‌ ଭି’

ସିନୋଭାକ୍‌ ଟିକା ନିରାପଦ, ବୟସ୍କଙ୍କ ପାଇଁ କମ୍‌ ଫଳପ୍ରଦ

ମସ୍କୋ: ନାନା ବାଦବିବାଦ ମଧ୍ୟରେ ଗତ ମାସ ୧୨ ତାରିଖରେ ଲୋକାର୍ପଣ ହୋଇଥିବା ରୁଷ୍‌ ଦ୍ବାରା ପ୍ରସ୍ତୁତ ବିଶ୍ବର ପ୍ରଥମ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌-ଭି’ର ସାର୍ବଜନୀନ ବ୍ୟବହାର ପାଇଁ ପ୍ରଥମ ଦଫା ଟିକାର ମାତ୍ରା ସମୂହକୁ ସର୍ବସାଧାରଣ ଯୋଗାଣ ବ୍ୟବସ୍ଥାରେ ଉପଲବ୍‌ଧ କରାଯାଇଛି। ସରକାରୀ ପ୍ରତିଷ୍ଠାନ ଗମାଲେଇ ଜାତୀୟ ଗବେଷଣା କେନ୍ଦ୍ର ଦ୍ବାରା ବିକଶିତ ଏହି ଟିକା ସମ୍ପ୍ରତି ମସ୍କୋ ସହର ପାଇଁ ଉଦ୍ଦିଷ୍ଟ ଥିବା ବେଳେ ନିକଟ ଭବିଷ୍ୟତରେ ଆଞ୍ଚଳିକ ଯୋଗାଣ କରାଯିବାକୁ ବ୍ୟବସ୍ଥା ହୋଇଥିବା ରୁଷିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଥାଉ କି, କୌଣସି ଟିକାର ସାର୍ବଜନୀନ ବ୍ୟବହାର ପାଇଁ ତିନି ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଅପରିହାର୍ଯ୍ୟ ହୋଇଥିବା ବେଳେ ମାତ୍ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ‘ସ୍ପୁଟନିକ୍‌-ଭି’କୁ ଲୋକାର୍ପିତ କରାଯାଇଥିଲା। ଫଳରେ ଏହାର ଫଳପ୍ରଦତା ଉପରେ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ବିଶେଷଜ୍ଞ ଆପତ୍ତି ଉଠାଇଥିଲେ। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଧି ବ୍ୟବସ୍ଥା ଅନୁସାରେ ଏହି ଟିକାର ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ବିକ୍ଷିପ୍ତ ଭାବରେ ଜାରି ରହିଛି। ଅପରପକ୍ଷେ, ବର୍ତ୍ତମାନ ସୁଦ୍ଧା ଉପଲବ୍‌ଧ ହୋଇଥିବା ଫଳାଫଳରୁ ଏହା ଫଳପ୍ରଦ ଓ ଆଶାନୁରୂପ କାର୍ଯ୍ୟଦକ୍ଷ ବୋଲି ଗମାଲେଇ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

ବେଜିଂ: ଚୀନୀ କମ୍ପାନି ସିନୋଭାକ୍‌ ଦ୍ବାରା ବିକଶିତ ‘କରୋନାଭାକ୍‌’ ନାମକ ଟିକାର ନୈଦାନିକ ପରୀକ୍ଷଣରୁ ଏହା ନିରାପଦ ସାବ୍ୟସ୍ତ ହୋଇଛି। ତେବେ ବୟସ୍କଙ୍କ ଠାରେ ଏହାର ଫଳପ୍ରଦତା ଅପେକ୍ଷାକୃତ ଦୁର୍ବଳ ରହିଛି ବୋଲି କମ୍ପାନି କହିଛି। ଗତ ମେ’ ମାସରେ ୬୦ ବର୍ଷରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ସାମିଲ କରି କରାଯାଇଥିବା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରୁ ଏଭଳି ନିଷ୍କର୍ଷ ମିଳିଛି ବୋଲି କମ୍ପାନିର ଗଣମାଧ୍ୟମ ପ୍ରତିନିଧି ଲିଉ ପେଇଚେଙ୍ଗ କହିଛନ୍ତି। ସମ୍ପ୍ରତି ଉକ୍ତ ଟିକାର ଚୂଡ଼ାନ୍ତ ପରୀକ୍ଷଣ ବ୍ରାଜିଲ୍‌ ଓ ଇଣ୍ଡୋନେସିଆରେ ଜାରି ରହିଥିବା ବେଳେ କମ୍ପାନିର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଚାଲିଛି। ଉକ୍ତ ଟିକା ଦୀର୍ଘ ତିନି ବର୍ଷ ଯାଏ ସଂରକ୍ଷିତ ହୋଇ ରହି ପାରୁଥିବାରୁ ଶୀତଳୀକରଣ ସୁରକ୍ଷା ବ୍ୟବସ୍ଥା ନଥିବା ଗ୍ରାମାଞ୍ଚଳରେ ଏହାର ଯୋଗାଣ ସୁଗମ ହୋଇପାରିବ ବୋଲି ସେ କହିଛନ୍ତି। ବିଶ୍ବରେ ସମ୍ପ୍ରତି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଚାଲିଥିବା ୩୪ଟି ଟିକା ମଧ୍ୟରୁ ୮ଟି ହିଁ ଚୀନୀ କମ୍ପାନିଙ୍କ ଦ୍ବାରା ବିକଶିତ ହୋଇଛି। ‘କରୋନାଭାକ୍‌’ ଚଳିତ ବର୍ଷ ଶେଷ ସୁଦ୍ଧା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍‌ଧ ହୋଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର