ଜୟପୁର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ସୀମାନ୍ତ ଅଞ୍ଚଳରେ ସନ୍ଦିଗ୍ଧ ଗୁପ୍ତଚର କଲ୍ ବୃଦ୍ଧି ପାଉଥିବା ସୁରକ୍ଷା ଏଜେନ୍ସିମାନେ ସୂଚନା ଦେଇଛନ୍ତି। ଏହି କଲ୍ ମାଧ୍ୟମରେ ମୁଖ୍ୟତଃ ପ୍ରତିରକ୍ଷା ପ୍ରତିଷ୍ଠାନ ନିକଟବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ କରାଯାଉଛି। ନିଜକୁ ଭାରତ ସରକାରଙ୍କ ଅଧିକାରୀ ବୋଲି ପରିଚୟ ଦେଇ ପାକ୍ ଏଜେଣ୍ଟମାନେ କଲ୍ କରୁଥିବା ଜଣାପଡ଼ିଛି।
ଜୈସଲମେର ଆରକ୍ଷୀ ଅଧୀକ୍ଷକ ସୁଧୀର ଚୌଧାରୀ କହିଛନ୍ତି, ଅଜଣା କଲ୍ କରୁଥିବା ବ୍ୟକ୍ତିମାନେ ନିଜକୁ ସେନା କିମ୍ବା ବରିଷ୍ଠ ସରକାରୀ ଅଧିକାରୀ ବୋଲି ପରିଚୟ ଦେଉଛନ୍ତି। ସୈନ୍ୟଙ୍କ ଗତିବିଧି ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ବିବରଣୀ ଭଳି ସମ୍ବେଦନଶୀଳ ତଥ୍ୟ ସଂଗ୍ରହ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି।
ଏସ୍ପି ଚୌଧାରୀ କହିଛନ୍ତି, ଆମେ ଜରୁରୀ ବୈଠକ କରି ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛୁ। ବିଶେଷ କରି ସାମରିକ ଅଂଚଳ କିମ୍ବା ଗୁରୁତ୍ୱପୂର୍ଣ୍ଣ ସରକାରୀ କୋଠା ନିକଟରେ ରହୁଥିବା ସାଧାରଣ ନାଗରିକଙ୍କୁ ଅଜଣା କଲ୍ କରୁଥିବା ଲୋକଙ୍କ ସହ କୌଣସି ସୂଚନା ପ୍ରଦାନ ନ କରିବାକୁ ଏସ୍ପି ଚୌଧାରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଏଭଳି କଲ୍ ଆସିବା ମାତ୍ରେ ତୁରନ୍ତ ପୁଲିସକୁ ଜଣାଇବା ଦରକାର। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁପ୍ତଚର ପଦ୍ଧତି ବଦଳିଯାଇଛି। ହନି ଟ୍ରାପ୍ ବ୍ୟବହାର କରିବା ପରିବର୍ତ୍ତେ ଲୋକଙ୍କୁ ସିଧାସଳଖ ସୂଚନା ପାଇଁ ଯୋଗାଯୋଗ କରାଯାଉଛି। ଏଭଳି ଜଣେ ସନ୍ଦିଗ୍ଧ ଏଜେଣ୍ଟ ପୂର୍ବରୁ ଧରାପଡ଼ିଛନ୍ତି।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଜୈସଲମେରରେ ଦୀର୍ଘମିଆଦୀ ଭିସାରେ ଥିବା କିଛି ଲୋକ ଯେଉଁମାନଙ୍କର ପାକିସ୍ତାନରେ ସମ୍ପର୍କୀୟ ଅଛନ୍ତି, ସେମାନଙ୍କୁ ସୂଚନା ଲିକ୍ କରିବା ପାଇଁ ଚାପ ପକାଯାଇପାରେ କିମ୍ବା ଟଙ୍କା ଅଫର୍ କରାଯାଇପାରେ। ଯଦିଓ ଏହି କଲ୍ ପଛରେ ପାକିସ୍ତାନୀ ଏଜେନ୍ସିର ହାତ ରହିଛି ବୋଲି ସେ ସିଧାସଳଖ କହି ନଥିଲେ ମଧ୍ୟ ଚୌଧାରୀ ନିଶ୍ଚିତ କରିଛନ୍ତି ଯେ ଗୁଇନ୍ଦା ଏଜେନ୍ସିମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ପ୍ରତିରୋଧ ଓ ଆଗୁଆ ଚିହ୍ନଟ ଉପରେ ଆମର ଗୁରୁତ୍ବ ରହିଛି ବୋଲି ସେ କହିଛନ୍ତି।