ମିଗ୍‌-୨୭ର ଅବସର ପରେ ଭାରତୀୟ ବାୟୁସେନାରେ ଲଢୁଆ ବିମାନ ଅଭାବ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ନିଜର ମିଗ୍‌-୨୭ ଲଢୁଆ ବିମାନଗୁଡ଼ିକୁ ଅବସର ଦିଆଯିବା ପରେ ପୁଣି ଥରେ ଲଢୁଆ ବିମାନ ଅଭାବ ଦେଖାଦେଇଛି । ଏଣୁ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଏହା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଏହି ଅଭାବ ଭରଣା କରିବାକୁ ସରକାର ହଠାତ୍‌ କିଛି କରିପାରିବେ ନାହିଁ ।

ଭାରତୀୟ ବାୟୁସେନାର ମୋଟ ସ୍କ୍ଵାର୍ଡନ କ୍ଷମତା ହେଉଛି ୪୨ । କିନ୍ତୁ ବାୟୁସେନା ପାଖରେ ଏବେ ୩୩ଟି ସ୍କାର୍ଡନ ଲଢୁଆ ବିମାନ ରହିଛି । ଗୋଟିଏ ସ୍କ୍ଵାର୍ଡନରେ ୧୬ରୁ ୧୮ଟି ଲଢୁଆ ବିମାନ ରହିଥାଏ । ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସରକାର ଏବେ ଫ୍ରାନ୍ସରୁ ୩୬ଟି ( ୨ ସ୍କ୍ଵାର୍ଡନ) ରାଫେଲ ବିମାନ ଖରିଦ କରିବାକୁ ଚୁକ୍ତି କରିଛନ୍ତି । ଆସନ୍ତା ବର୍ଷଠାରୁ ଏହି ବିମାନଗୁଡ଼ିକର ଯୋଗାଣ ଆରମ୍ଭ ହେବ ଓ ୨୦୨୨ ସୁଦ୍ଧା ସମସ୍ତ ୩୬ଟି ବିମାନ ଭାରତୀୟ ବାୟୁସେନା ହାତକୁ ଆସିବ । କିନ୍ତୁ ଏହି ବିମାନଗୁଡ଼ିକ ଆସିବା ପରେ ମଧ୍ୟ ଆହୁରି ୭ଟି ସ୍କ୍ଵାର୍ଡନ ଲଢୁଆ ବିମାନ ଅଭାବ ରହିବ ।

Rafale, Image : Dassault Aviation

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାରଦିନ ବାୟୁସେନା ନିଜର ଯୋଧପୁର ବିମାନଘାଟିଠାରେ ଥିବା ସ୍କର୍ପିଅନ ସ୍କ୍ଵାର୍ଡନକୁ ଅବସର ଦେଇଥିଲା । ଏଥିରେ ୭ଟି ମିଗ୍‌-୨୭ ବିମାନ ଥିଲା । ଏହି ଲଢୁଆ ବିମାନଗୁଡ଼ିକ ୧୯୮୧ ମସିହାରେ ବାୟୁସେନାରେ ସାମିଲ ହୋଇଥିଲେ । ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ ଏହି ବିମାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ପୁରୁଣା ହୋଇଯାଇଥିବାରୁ ଗତ କିଛି ବର୍ଷ ଧରି ସେଗୁଡ଼ିକ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିଲା । ଏବେ ବିଶ୍ୱର କୌଣସି ଦେଶ ମିଗ୍‌-୨୭ ବିମାନ ବ୍ୟବହାର କରୁନାହାନ୍ତି । ତିନି ବର୍ଷ ତଳେ ପଶ୍ଚିମ-ବଙ୍ଗର ହାସିମୋରା ଏୟାରବେସରେ ଅବସ୍ଥାପିତ ୨ ସ୍କ୍ଵାର୍ଡନ ମିଗ୍‌-୨୭କୁ ସେବାନିବୃତ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର