ଶ୍ରଦ୍ଧା ହତ୍ୟା ମାମଲା: ନାର୍କୋ ଟେଷ୍ଟ ସମୟରେ ଅଭ୍ୟାସକରା ଉତ୍ତର ଦେଇଥାଇପାରେ ଅଫତାବ

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋଟେଷ୍ଟ କରାଯାଇଥିବା ବେଳେ ସେ ଟେଷ୍ଟ ପରିଚାଳନା କରିଥିବା ମନସ୍ତତ୍ତ୍ବବିତ୍ ଓ ଡାକ୍ତରମାନଙ୍କୁ ଅଭ୍ୟାସକରା (ରିହର୍ସଡ) ଉତ୍ତର ଦେଇ ଭୁଆ ବୁଲାଇଥାଇ ପାରେ ବୋଲି ଶୁକ୍ରବାର ମତ ପ୍ରକାଶ ପାଇଛି। ଜେରା ସମୟରେ ବି ଅଫତାବ ନିଶା ଔଷଧ ସେବନ କରିଥିବା ଜଣାପଡ଼ିଛି।

ଜେରା ପରେ ପୁଲିସ ଅଫତାବକୁ ତିହାର ଜେଲକୁ ଫେରାଇ ନେବା ବେଳେ ସେ କହିଥିଲା ଯେ ସେ ନିଶାରେ ଚୁର ଅବସ୍ଥାରେ ଥିଲା। ସେ କହିଥିଲା ଯେ ସେ ଦିଲ୍ଲୀରେ ନୂଆ ହୋଇଥିବାରୁ ଶ୍ରଦ୍ଧାର କଟା ଅଙ୍ଗ କେଉଁ କେଉଁ ଜାଗାରେ ପକାଇଥିଲା, ତାହା ତା’ର ମନେନାହିଁ। ତେବେ ଏତିକି ତା’ର ମନେଅଛି ଯେ ସେ ତା’ ଘର ପାଖ ମେହରାଉଲି ଜଙ୍ଗଲକୁ ଶ୍ରଦ୍ଧାର କଟା ଅଙ୍ଗ ଫୋପାଡ଼ିବାକୁ ଯାଇଥିଲା। ସେ ଶ୍ରଦ୍ଧାର ଫୋନକୁ ସମୁଦ୍ରରେ ପକାଇଦେଇଥିବା କହିଥିଲା। ଉଲ୍ଲେଖଯୋଗ୍ୟ ଯେ ଚାକିରି ପାଇଁ ସେମାନେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ ଏବଂ ମେହରାଉଲି ଅଞ୍ଚଳରେ ଘର ଭଡ଼ା ନେଇ ଲିଭ୍-ଇନ୍ ସମ୍ପର୍କରେ ରହିଥିଲେ।

ନାର୍କୋ ଟେଷ୍ଟ ପରେ ଫରେନ୍ସିକ୍ ଓ ତଦନ୍ତକାରୀ ଦଳର ଚାରିଜଣ ସଦସ୍ୟ ତିହାର ଜେଲ ଯାଇ ଅଫତାବକୁ ନାର୍କୋଟେଷ୍ଟ-ପର ଜେରା କରିଥିଲେ। ନାର୍କୋଟେଷ୍ଟ ସମୟରେ ଦିଲ୍ଲୀସ୍ଥିତ ଫରେନ୍ସିକ୍ ସାଇନ୍ସ ଲାବୋରେଟରି (ଏଫ୍‌ଏସ୍‌ଏଲ୍‌) ଅଫିସ ବାହାରେ ନିଜକୁ ହିନ୍ଦୁ ସେନାର ସଦସ୍ୟ କହୁଥିବା କିଛି ଦୁର୍ବୃତ୍ତ ଅଫତାବର ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜେଲରେ ଏହି ଜେରା କରାଯାଇଥିଲା। ଚାରି ନମ୍ବର ଜେଲରେ ଦିନ ସାଢ଼େ ୧୧ଟାରୁ ୩ଟା ଯାଏ ଏହି ଟେଷ୍ଟ-ପର ଜେରା କରାଯାଇଥିଲା। ନାର୍କୋ ଟେଷ୍ଟ ବେଳେ ତାକୁ ଯେଉଁସବୁ ପ୍ରଶ୍ନ ପଚାରାଯାଇଥିଲା, ଜେଲରେ ତାକୁ ସେହିସବୁ ପ୍ରଶ୍ନ ପୁଣିଥରେ ପଚରାଯାଇଥିଲା। କିନ୍ତୁ ତା’ଠାରୁ ସେହି ଏକା ଉତ୍ତର ହିଁ ଶୁଣିବାକୁ ମିଳିଥିଲା। ତେଣୁ ନାର୍କୋ ଟେଷ୍ଟ ସମୟରେ ସତ ଉଗାରିବା ପାଇଁ ତାକୁ ଦିଆଯାଇଥିବା ମେଡିସିନ କିଛି କାମ କରି ନ ଥିବା ଅଥବା ସମ୍ଭାବ୍ୟ ପ୍ରଶ୍ନଗୁଡ଼ିକର ସେ କି ଉତ୍ତର ଦେବ ସେ ନେଇ ପୂର୍ବରୁ ରିହର୍ସାଲ (ଅଭ୍ୟାସ) କରିଥିବା ସ୍ପଷ୍ଟ ହୋଇଯାଇଛି।

ବର୍ତ୍ତମାନ ନାର୍କୋ ବିଶ୍ଳେଷଣ ଓ ପୁଲିସର ତଦନ୍ତ ପ୍ରକ୍ରିୟା ଶେଷ ହୋଇଛି। କେବଳ ଜଙ୍ଗଲରୁ ମିଳିଥିବା ହାଡ଼ ଓ ଅଫତାବର ବାଥ୍‌ରୁମ୍ ଓ କିଚେନରୁ ମିଳିଥିବା ରକ୍ତଦାଗ ଆଦିର ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏ ସମସ୍ତ ରିପୋର୍ଟ ମିଳିବା ପରେ ପୁଲିସ ଚାର୍ଜସିଟ ଦାଖଲ କରିବ।

ସମ୍ବନ୍ଧିତ ଖବର