ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ଉପରେ ଟ୍ରାଭାନକୋର ରାଜ ପରିବାରର ଅଧିକାରକୁ କାଏମ୍ ରଖିଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: କେରଳର ଥିରୁବନନ୍ତପୁରମରେ ଥିବା ପ୍ରସିଦ୍ଧ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ପ୍ରଶାସନରେ ଟ୍ରାଭାନକୋର ରାଜ ପରିବାରର ଅଧିକାରକୁ କାଏମ ରଖିଛନ୍ତି ସୁପ୍ରିମ୍ କୋର୍ଟ। ଦେଶର ସବୁଠାରୁ ଧନୀ ମନ୍ଦିର ରୂପେ ବିବେଚନା କରାଯାଉଥିବା ଥିରୁବନନ୍ତପୁରମର ଐତିହାସିକ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ପରିଚାଳନାକୁ ନେଇ ଆଗତ ଏକ ମାମଲାର ଶୁଣାଣି କରି ଏପରି ରାୟ ଶୁୁଣାଇଛନ୍ତି ଶୀର୍ଷ ଅଦାଲତ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ପ୍ରସିଦ୍ଧ ଐତିହାସିକ ମନ୍ଦିରରେ ଆର୍ଥିକ ଅନିୟମିତତା ଅଭିଯୋଗରେ ମନ୍ଦିରର ପ୍ରଶାସନ ଏବଂ ପରିଚାଳନାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସୁପ୍ରିମ୍ କୋର୍ଟଙ୍କ ବିଚାରାଧୀନ ଥିଲା। ମନ୍ଦିର, ଏହାର ସମ୍ପତ୍ତି ଏବଂ ପରିଚାଳନାକୁ ନିୟନ୍ତ୍ରଣ କରିବା ତଥା ପରମ୍ପରା ଅନୁଯାୟୀ ମନ୍ଦିର ଚଳାଇବା ପାଇଁ ଏକ ଟ୍ରଷ୍ଟ ଗଠନ ପାଇଁ ପଦକ୍ଷେପ ନେବାକୁ କେରଳ ହାଇକୋର୍ଟ ଗତ ୨୦୧୧ ଜାନୁଆରି ୩୧ ତାରିଖରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ, ଏହି ରାୟକୁ ଚ୍ୟାଲେଞ୍ଜ କରି ଟ୍ରାଭାନକୋର ରାଜ ପରିବାର ପକ୍ଷରୁ ସୁପ୍ରିମ୍ କୋର୍ଟରେ ଏହି ମାମଲା ଆଗତ କରା ଯାଇଥିଲା।
ଗତ ବର୍ଷ ଏପ୍ରିଲ ୧୦ରେ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ୟୁ ୟୁ ଲଲିତ ଏବଂ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ।
ଉଲ୍ଲେଖଯୋଗ୍ୟ, ଅଷ୍ଟାଦଶ ଶତାବ୍ଦୀରେ ଟ୍ରାଭାନକୋର ରାଜ ପରିବାର ଦ୍ୱାରା ଏହି ମନ୍ଦିରଟିର ନିର୍ମାଣ କରାଯାଇଥିଲା। ସ୍ୱାଧୀନତା ପରେ ମଧ୍ୟ ଏହି ମନ୍ଦିର ରାଜ ପରିବାର ଦ୍ୱାରା ନିୟନ୍ତ୍ରିତ ଏକ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା।