ଦିଲ୍ଲୀରୁ ବାହାରିଲା ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍‌

ନୂଆଦିଲ୍ଲୀ : ବୁଧବାର ଦିନ ଦିଲ୍ଲୀ ସଫ୍‌ଦରଜଙ୍ଗ ଷ୍ଟେସନ ଛାଡ଼ିଛି ଶ୍ରୀଜଗନ୍ନାଥ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି ରେଳ ଷ୍ଟେସନ୍‌ରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।

ଯାତ୍ରାର ଶୁଭାରମ୍ଭ ଅବସରରେ ସଫ୍‌ଦରଜଙ୍ଗ ଷ୍ଟେସନ ଜଗନ୍ନାଥମୟ ହୋଇଥିଲା। ଓଡ଼ିଶୀ ନୃତ୍ୟ ସହ ଯାତ୍ରୀମାନଙ୍କୁ ସ୍ବାଗତ କରାଯାଇଥିଲା। ଯାତ୍ରୀମାନଙ୍କ ଶୁଭ ମନାସିଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ସେ କହିଲେ, ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ସୃଷ୍ଟି କରିଛନ୍ତି। କେବଳ ଓଡ଼ିଆକୁ ଛାଡ଼ି ବିଶ୍ବର ସବୁ ଭାଷାକୁ ମଣିଷ ତିଆରି କରିଛି। ମହାପ୍ରଭୁ ତାଙ୍କ ପ୍ରସାଦ ଭାବେ ଓଡ଼ିଆ ଭାଷାକୁ ତାଙ୍କ ଭକ୍ତମାନଙ୍କୁ ଦେଇଛନ୍ତି। ସେଇଥି ପାଇଁ ଓଡ଼ିଆ ଭାଷା ଏତେ ମିଠା।

ଜଗନ୍ନାଥମୟ ହେଲା ସଫ୍‌ଦରଜଙ୍ଗ ଷ୍ଟେସନ
ଓଡ଼ିଆ ଭାଷାକୁ ମହାପ୍ରଭୁ ଜଗନ୍ନାଥ ସୃଷ୍ଟି କରିଛନ୍ତି: ରେଳ ମନ୍ତ୍ରୀ
ଅତିଥି ସତ୍କାର ଦାୟିତ୍ବ ନିଅନ୍ତୁ ଓଡ଼ିଶାବାସୀ: ଧର୍ମେନ୍ଦ୍ର

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଅତିଥି ଦେବୋ ଭବଃ। ଟ୍ରେନରେ ଓଡ଼ିଶା ଭ୍ରମଣରେ ଯାଉଥିବା ତୀର୍ଥଯାତ୍ରୀଙ୍କର ଅତିଥି ସତ୍କାର ଦାୟିତ୍ବ ରାଜ୍ୟର ଲୋକମାନେ ନିଅନ୍ତୁ ବୋଲି ସେ କହିଥିଲେ। ପୁରୀ ଯାଉଥିବା ଭାରତ ଗୌରବ ଟ୍ରେନକୁ ଶ୍ରୀଜଗନ୍ନାଥ ଟ୍ରେନ୍‌ ନାମରେ ନାମିତ କରାଯାଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳ ମନ୍ତ୍ରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି ଟ୍ରେନ୍‌ର ଶୁଭାରମ୍ଭ ହୋଇଛି। ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାମ ସମ୍ପନ୍ନ ହୁଏ ନାହିଁ। ଓଡ଼ିଶାର ପର୍ଯ୍ୟଟନ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍‌ର ଶୁଭାରମ୍ଭ ଏକ ଗୁରୁତ୍ବପୁର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀଙ୍କ ‘ଦେଖୋ ଅପନା ଦେଶ’ର ପରିକଳ୍ପନାରେ ଆଜିର ପଦକ୍ଷେପ ଦ୍ବାରା ସମଗ୍ର ଭାରତବର୍ଷରେ ଖାଲି ପର୍ଯ୍ୟଟନର ବିକାଶ ହେବ ନାହଁ, ରୋଜଗାର ମଧ୍ୟ ବଢ଼ିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ୫୨୮ ତୀର୍ଥଯାତ୍ରୀ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ ସମେତ କୋଣାର୍କ, ଭୁବନେଶ୍ବର, କାଶୀ, ବୈଦ୍ୟନାଥ ଓ ଗୟା ସମେତ ବିଭିନ୍ନ ପ୍ରମୁଖ ସ୍ଥାନ ଦର୍ଶନ କରିବାର ସୁଯୋଗ ପାଇବେ। ପୁରୀ ପରେ ଗୟା ହେବ ଟ୍ରେନର ଶେଷ ଗନ୍ତବ୍ୟ ସ୍ଥଳ। ସେଠାରେ ବିଷ୍ଣୁପାଦ ମନ୍ଦିର ଦର୍ଶନ ସହ ଯାତ୍ରାର ସମାପନ ହେବ। ୮ ଦିନିଆ ଯାତ୍ରା ଶେଷ କରି ଟ୍ରେନ୍‌ ଫେବ୍ରୁଆରି ପହିଲାରେ ଦିଲ୍ଲୀରେ ପହଞ୍ଚିବ।

ସମ୍ବନ୍ଧିତ ଖବର