ଥିରୁବନ୍ତପୁରମ୍: ବଡ଼ଭାଇର ହାଜତ୍ ମୁତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସାନଭାଇ ଦୀର୍ଘ ୭୮୩ ଦିନ ଧାରଣାରେ ବସିବା ପରେ, ଅବଶେଷରେ ସିବିଆଇ ଆଜି ଏହି ହାଜତ୍ ମୁତ୍ୟୁ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ସିବିଆଇ ତଦନ୍ତକୁ ସ୍ୱାଗତ କରି ସାନଭାଇ ଧାରଣାରୁ ଉଠିଛନ୍ତି। ଏହି ଘଟଣା ଏବେ ସମଗ୍ର କେରଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏକ ଚୋରି ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଶ୍ରୀଜିଭ୍ ନାମକ ଜଣେ ଯୁବକକୁ ଗତ ୨୦୧୪ ମେ ମାସରେ କେରଳ ପାରଶାଲା ଥାନା ପୋଲିସ୍ ଗିରଫ କରିଥିଲେ। ତେବେ, ପୋଲିସ୍ ହାତରେ ଗିରଫ ହେବାର ଦିନକ ପରେ ଶ୍ରୀଜିଭ୍ର ଡାକ୍ତରଖାନାରେ ମୁତ୍ୟୁ ଘଟିଥିଲା। ସେତେବେଳେ ହାଜତ ଭିତରେ ପୋଲିସ୍ ନିର୍ଯାତନା ଦେଇ ଶ୍ରୀଜିଭ୍ଙ୍କୁ ହତ୍ୟା କରିଛି ବୋଲି ତା’ର ଭାଇ ଶ୍ରୀଜିତ୍ ଓ ମା’ ରିମାନୀ ଅଭିଯୋଗ କରିଥିବା ବେଳେ ବିଷପିଇ ଶ୍ରୀଜିଭ୍ ଆତ୍ମହତ୍ୟା କରିଛି ବୋଲି ପୋଲିସ୍ କହିଥିଲା।
/sambad/media/post_attachments/wp-content/uploads/2018/01/sreejith_protest_end-compressed-300x285.jpg)
ଏଥିରେ ମର୍ମାହତ ହୋଇ ନିଜ ମୃତ ଭାଇକୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଶ୍ରୀଜିତ୍ ବହୁ ହାରି ଗୁହାରି କରିବା ପରେ ଅବଶେଷରେ କେରଳ ପୋଲିସ୍ ଡିଜିଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ଗଠନ କରାଯାଇ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାର ତଦନ୍ତ କରି ଏସ୍ଆଇଟି ହାଜତରେ ପୋଲିସ୍ ନିର୍ଯାତନାରେ ଶ୍ରୀଜିଭ୍ର ମୁତ୍ୟୁ ଘଟିଥିବା ରିପୋର୍ଟ ଦେଇଥିଲେ। ଏହାପରେ କେରଳ ସରକାର ଏହି ମାମଲାରେ ମୃତ ଶ୍ରୀଜିଭ୍ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରି ଏହି ଘଟଣାର ସେହିଠାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହୁଁଥିଲେ। କିନ୍ତୁ, ମୃତ ଶ୍ରୀଜିଭ୍ ପରିବାର ବର୍ଗଙ୍କ ଦାବି ଥିଲା ଏହି ଘଟଣାରେ ସଂପୃକ୍ତ ପୋଲିସ୍ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶାସ୍ତି ବିଧାନ। କିନ୍ତୁ, କେରଳ ସରକାର ସେମାନଙ୍କର ଏହି ଦାବି ପ୍ରତି କର୍ଣ୍ଣପାତ ନକରିବାରୁ ଶ୍ରୀଜିତ୍ ବଡ଼ଭାଇ ଶ୍ରୀଜିଭ୍ର ମୁତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି କେରଳ ସଚିବାଳୟ ସମ୍ମୁଖରେ ଗତ ୨୦୧୬ରୁ ଧାରଣାରେ ବସିଥିଲେ।
ନିଜ ଦାବିରେ ଅଟଳ ରହି ବର୍ଷାଧିକ କାଳ ଧାରଣାରେ ବସି ରହିବା ପରେ ମଧ୍ୟ କେରଳ ସରକାର ଏଥିପ୍ରତି ଗୁରୁତ୍ୱ ଦେଉ ନଥିଲେ। କିନ୍ତୁ, କ୍ରମେ ଧାରଣାରେ ବସିଥିବା ଶ୍ରୀଜିତ୍ଙ୍କ ପ୍ରତି ସମାଜର ସବୁ ସ୍ତରରୁ ଓ ସବୁ ବର୍ଗରୁ ସମର୍ଥନ ବୃଦ୍ଧି ପାଉଥିବା ଦେଖିବା ପରେ ଅବଶେଷରେ ଗତ ଜାନୁଆରି ୧୯ ତାରିଖରେ ଏହି ଘଟଣାର ତଦନ୍ତ ସିବିଆଇ କରିବ ବୋଲି ସରକାର ଘୋଷଣା କରିଥିଲେ। କିନ୍ତୁ, ଶ୍ରୀଜିତ୍ ନିଜ ଜିଦ୍ରେ ଅଟଳ ରହି ସିବିଆଇ ତଦନ୍ତ ଆରମ୍ଭ ନହେବା ପର୍ଯ୍ୟନ୍ତ ସେ ଧାରଣାରୁ ଉଠିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଅବଶେଷରେ ଦୀର୍ଘ ୭୮୩ ଦିନ ଧାରଣାରେ ବସିବା ପରେ ଆଜି ସିବିଆଇ ଅଧିକାରୀମାନେ ଶ୍ରୀଜିତ୍ ଓ ମା’ଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିବା ପରେ ସେ ଧାରଣାରୁ ଉଠିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sreejith.jpg)