ନୂଆଦିଲ୍ଲୀ: ଶ୍ରୀଗଙ୍ଗନଗର ଶ୍ରୀବିଜନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଗତବୁଧବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ଗୋଟିଏ ଗାଁର ୬ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

Advertisment

ପୁଲିସ ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣା ଗତବୁଧବାର ଶ୍ରୀବିଜୟନଗରରେ ରାତି ୨ଟାରେ ଘଟିଛି। ବଖତାୱରପୁରା ଗାଁର ୬ଜଣ ଯୁବକ ଦୁଇଟି ବାଇକରେ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।  ଘଟଣାସ୍ଥଳରେ ତିନିଜଣ ଯୁବକଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ତିନିଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।  ଏଥିସହିତ ବଖତାୱରପୁରା ଗାଁ ଲୋକମାନେ ମଧ୍ୟ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ପୁଲିସ ଓ ଗ୍ରାମବାସୀ ମିଶି ମୃତଯୁବକ ଓ ଆହତଙ୍କୁ ଉଦ୍ଧାର କରି ଶ୍ରୀବିଜୟନଗରର ସରକାରୀ ଡାକ୍ତରଖାନାକୁ ନେଇଥିଲେ।

ସେଠାରେ ତିନିଜଣ ଆହତଙ୍କ ଗୁରୁତର ଅବସ୍ଥା ଦେଖି ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଶ୍ରୀ ଗଙ୍ଗାନଗର ପଠାଇ ଦିଆଯାଇଥିଲା। ଏଠାରେ ଚିକିତ୍ସା ସମୟରେ ତିନିଜଣ ଆହତ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଗାଁରେ ଶୋକରଛାୟା ଖେଳି ଯାଇଛି। ଦୁଇଦିନ ହେବ ସମ୍ପୂର୍ଣ୍ଣ ଗାଁରେ ଲୋକଙ୍କ ଘରେ ଚୁଲି ଚଳି ନାହିଁ। ଏକାଠି ଗାଁର ୬ଜଣ ପୁଅଙ୍କୁ ହରାଇ ଗ୍ରାମବାସୀ ସ୍ତବ୍ଧ ହୋଇଯାଇଛନ୍ତି। ମୃତକଙ୍କ ପରିବାର କିଛି କହିବା ପରିସ୍ଥିତିରେ ନାହାନ୍ତି।