ଦିଲ୍ଲୀରେ ଶ୍ରୀଜଗନ୍ନାଥ ସେବାପୂଜା ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଦିଲ୍ଲୀର ତ୍ୟାଗରାଜନଗର ଜଗନ୍ନାଥ ମନ୍ଦିରଠାରେ ପୁରୀର ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ସେବା ପୂଜା ସମ୍ପର୍କିତ ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି। ପ୍ରଶିକ୍ଷଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳମାନଙ୍କରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରମାନଙ୍କର ପୂଜକ ଓ ଟ୍ରଷ୍ଟ୍‍ ବୋର୍ଡ ସଦସ୍ୟମାନେ ଯୋଗ ଦେଇ ସେବାପୂଜା ସମ୍ପର୍କରେ ପ୍ରଶିକ୍ଷିତ ହେଉଛନ୍ତି। ପ୍ରଥମ ଥର ପାଇଁ ଦିଲ୍ଲୀରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଏଭଳି ଏକ ପ୍ରଶିିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରତିଷ୍ଠାନର ମହାସଚିବ ରବିନ୍ଦ୍ରନାଥ ପ୍ରତିହାରୀ କହିଛନ୍ତି ଯେ ଜଗନ୍ନାଥ ମନ୍ଦିର ସହିତ ତାଳମେଳ ରଖି ଅନ୍ୟ ଯେତେ ମନ୍ଦିର ଅଛି ସବୁ ମନ୍ଦିରରେ କାର୍ଯ୍ୟକ୍ରମଗୁଡ଼ିକ ଓ ପୂଜାପାଠ ଠିକ୍‌ ଭାବେ ସମ୍ପାଦନ କରାଯିବ ସେନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି।

ଗତକାଲି ଠାରୁ ତ୍ୟାଗରାଜନଗର ଜଗନ୍ନାଥ ମନ୍ଦିରରେ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କର ପୂଜା ତଥା ସେବା ସମ୍ବନ୍ଧରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ବିଶେଷଜ୍ଞ ପ୍ରଫେସର, ପ୍ରିନ୍ସିପାଲ, ମନ୍ଦିରର ପୁରୋହିତ ଓ ସେବକମାନେ ବିସ୍ତତ ଭାବେ ଉପସ୍ଥାପନା କରିଥିଲେ। ଶ୍ରୀଜଗନ୍ନାଥଙ୍କର ପୂଜାବିଧି ସମ୍ପର୍କରେ ଡକ୍ଟର ନରେଶ ଚନ୍ଦ୍ର ଦାଶ, ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ପ୍ରଫେସର ଦିବାକର ମହାପାତ୍ର ଆଲୋକପାତ କରିଥିଲେ। ମହାପ୍ରଭୂଙ୍କ ସେବାବିଧି, ଦୈନନ୍ଦିନ ନୀତି, ସାମୟିକ ନୀତି, ବସ୍ତୁ, ପୁଷ୍ପ, ବେଶ, ନିଷିଦ୍ଧ ସାମଗ୍ରୀ ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିରର ପୁରୋହିତ ଓ ସେବକମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ। ଆସନ୍ତାକାଲି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନ ସମାରୋହରେ ନବକଳେବର ବିଧି ସମ୍ପର୍କରେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ଆଲୋକପାତ କରିବେ । କାର୍ଯ୍ୟକ୍ରମରେ ତ୍ୟାଗରାଜ ନଗର ଜଗନ୍ନାଥ ମନ୍ଦିରର ସମ୍ପାଦକ କାମଦେବ ବିଶ୍ୱାଳଙ୍କ ସମେତ ମନ୍ଦିରର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର