କଲମ୍ବୋ : ଶ୍ରୀଲଙ୍କା ସରକାର ଚୀନ୍ର ବିବାଦୀୟ ଗୁଇନ୍ଦା ଜାହାଜକୁ ତାଙ୍କ ଦେଶର ବନ୍ଦରକୁ ପ୍ରବେଶ ଅନୁମତି ଦେଇଛନ୍ତି। ଏହି ଗୁଇନ୍ଦା ଜାହାଜକୁ ନେଇ ଭାରତ ଚିନ୍ତା ପ୍ରକଟ କରିବା ସତ୍ତ୍ବେ ଚୀନ୍ ଋଣ ଜାଲରେ ବୁଡ଼ି ରହିଥିବା ଶ୍ରୀଲଙ୍କା ଏଥିପାଇଁ ଅନୁମତି ଦେଇଛି। ‘ଉଆଙ୍ଗ ୱାଙ୍ଗ ୫’କୁ ଇଣ୍ଟରନ୍ୟାସନାଲ ସିପିଂ ଆଣ୍ଡ ଆନାଲିଟିକ୍ସ ସାଇଟ୍ସ ଦ୍ବାରା ଏକ ଗବେଷଣା ଏବଂ ସର୍ବେକ୍ଷଣ ଜାହାଜ କୁହାଯାଉଛି। କିନ୍ତୁ ଏହା ମଧ୍ୟ ଏକ ଗୁଇନ୍ଦା ଜାହାଜ ବୋଲି ଜଣାପଡ଼ିଛି। ଭାରତର ସାମରିକ କାର୍ଯ୍ୟକ୍ରମ ଏବଂ ସେନା ମୁତୟନ ଉପରେ ଏହି ଜାହାଜ ଗୁଇନ୍ଦାଗିରି କରିପାରେ ବୋଲି ଭାରତ ଚିନ୍ତା ପ୍ରକଟ କରିଛି। ଭାରତ ସାଗରରେ ବେଜିଂ ନିଜର ଉପସ୍ଥିତି ବୃଦ୍ଧି କରିବାକୁ ନେଇ ଭାରତ ସନ୍ଦେହ ପ୍ରକଟ କରିଛି। ଅଗଷ୍ଟ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଚୀନ୍ର ଗୁଇନ୍ଦା ଜାହାଜ ମୁତୟନ ହେବ।
ଏଥିପାଇଁ ଶ୍ରୀଲଙ୍କା ବିଦେଶ ମନ୍ତ୍ରାଳୟ ଠାରୁ ସ୍ବୀକୃତି ମିଳି ସାରିଛି। ପୂର୍ବରୁ ଅଗଷ୍ଟ ୧୧ ତାରିଖରେ ଚୀନ୍ର ଏହି ଜାହାଜ ହମ୍ବନତୋଟା ବନ୍ଦରରେ ଲାଗିବାର ଥିଲା। କିନ୍ତୁ ଭାରତର ଚାପରେ ଶ୍ରୀଲଙ୍କା ଏହାର ନିଷ୍ପତ୍ତି ବଦଳାଇ ଜାହାଜକୁ ଅଟକାଇଥିଲା। ବନ୍ଦର ଅଧିକାରୀମାନେ କହିଛନ୍ତି, ଶୁକ୍ରବାର ରାତିରେ ଚୀନ୍ ଜାହାଜ ଦକ୍ଷିଣ ପୂର୍ବ ଶ୍ରୀଲଙ୍କାଠାରୁ ପ୍ରାୟ ୧ ହଜାର କିମି ଦୂରରେ ଥିଲା। ହମ୍ବନତୋଟା ଗଭୀର ସାଗର ବନ୍ଦରକୁ ଏହା ଧୀରେଧୀରେ ଅଗ୍ରସର ହେଉଛି। ଶ୍ରୀଲଙ୍କା ଏହି ବନ୍ଦରକୁ ୧.୧୨ ବିଲିଅନ୍ ଡଲାର୍ରେ ଚୀନ୍କୁ ୯୯ ବର୍ଷ ପାଇଁ ଲିଜ୍ରେ ଦେଇଛି। ଭାରତୀୟ ରିପୋର୍ଟ ଅନୁଯାୟୀ ଉଆନ ୱାଙ୍ଗ ୫ ସ୍ପେସ ଏବଂ ସାଟେଲାଇଟ ଟ୍ରାକିଂ ପାଇଁ ମୁତୟନ ହୋଇପାରେ। ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚ୍ ପାଇଁ ଏହାର ସ୍ବତନ୍ତ୍ର ବ୍ୟବହାର ରହିଛି। ଏହି ଜାହାଜ ଭାରତର ସାମରିକ କାର୍ଯ୍ୟକ୍ରମ ଉପରେ ଗୁଇନ୍ଦାଗିରି କରିପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/sf654h6sf5h4f65h4fh654hf65.jpg)