ଶ୍ରୀଲଙ୍କାରେ ଆତଙ୍କୀ ହମ୍‌ଲା : ସିରିଜ୍‌ ବିସ୍ଫୋରଣ, ୨୧୫ ନିହତ

ଟ‌ାର୍ଗେଟରେ ଚର୍ଚ ଓ ପଞ୍ଚତାରକା ହୋଟେଲ, ନିହତଙ୍କ ମଧ୍ୟରେ ୩୫ ବିଦେଶୀ, ୩ ଭାରତୀୟ, ସାରା ଦେଶରେ ଜାରି ହେଲା କର୍ଫ୍ୟୁ

କଲମ୍ବୋ : ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଶାନ୍ତ ଥିବା ଶ୍ରୀଲଙ୍କା ଆଜି ସିରିଜ ବୋମା ବିସ୍ଫୋରଣରେ ଥରି ଉଠିଛି। ରାଜଧାନୀ କଲମ୍ବୋ ଏବଂ ଆଖପାଖ ଅଞ୍ଚଳରେ କ୍ରମାଗତ ଭାବେ ହୋଇଥିବା ୮ଟି ବଡ ଧରଣର ଆତ୍ମଘାତୀ ବିସ୍ଫୋରଣରେ ୨୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩୫ ଜଣ ବିଦେଶୀ ନାଗରିକ ରହିଛନ୍ତି। ଏହି ବିସ୍ଫୋରଣରେ ତିନି ଜଣ ଭାରତୀୟ ମଧ୍ୟ ପ୍ରାଣ ହରାଛନ୍ତି। ଭାରତର ବେ‌ୖଦେଶିକ ମନ୍ତ୍ରୀ ସୁଷମା‌ ସ୍ବରାଜ ଆଜି ସନ୍ଧ୍ୟାରେ ଟୁଇଟ୍ କରି ଏହା ଜଣାଇଛନ୍ତି। ବିସ୍ଫୋରଣ ପରେ ସମଗ୍ର ଶ୍ରୀଲଙ୍କାରେ କର୍ଫ୍ୟୁ ଜାରି କରାଯାଇଛି। ଚାରିଆଡ଼େ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଇଛି। ଏହି ବିସ୍ଫୋରଣ ପଛରେ କାହାର ହାତ ତାହା ଜଣାପଡ଼ି ନଥିଲେ ମଧ୍ୟ ସନ୍ଦେହରେ ୮ ଜଣଙ୍କୁ ଅଟକ ରଖାଯାଇଛି। ଆଜିର ଏହି ବିସ୍ଫୋରଣ, ଇଷ୍ଟର ପର୍ବ ପାଳନ ଅବସରରେ ବିଭିନ୍ନ ଗିର୍ଜା ଏବଂ ପଞ୍ଚତାରକା ହୋଟେଲକୁ ଟାର୍ଗେଟ କରାଯାଇଛି।ଇଷ୍ଟର ପର୍ବ ପାଳନରେ ଲୋକେ ବ୍ୟସ୍ତ ଥିବା ବେଳେ ସକାଳ ପ୍ରାୟ ୮.୪୫ ସମୟରେ ଏହି କ୍ରମାଗତ ବିସ୍ଫୋରଣ ହୋଇଥିଲା। ପ୍ରଥମ ୬ଟି ବିସ୍ଫୋରଣ କଲମ୍ବୋର ୩ଟି ଗିର୍ଜା ଏବଂ ୩ଟି ପଞ୍ଚତାରକା ହୋଟେଲରେ ହୋଇଥିଲା। କଲମ୍ବୋର ସେଣ୍ଟ୍‌ ଆନ୍ଥୋନିସ ଚର୍ଚ୍ଚ, ପଶ୍ଚିମରେ ଥିବା ସମୁଦ୍ରତଟ ନେଗାମ୍ବୋ ସହରର ସେଣ୍ଟ୍‌ ସେବାଷ୍ଟିଆନ୍‌ ଚର୍ଚ୍ଚ ଏବଂ ବାଟିକଲଆ ସହରରେ ଥିବା ଏକ ଚର୍ଚ୍ଚରେ ବିସ୍ଫୋରଣ ଘଟିଥିବା ପୋଲିସ ମୁଖପାତ୍ର ରୁୱାନ ଗୁଣସେଖରା ସୂଚନା ଦେଇଛନ୍ତି। ୩ଟି ପଞ୍ଚତାରକା ହୋଟେଲ ଯଥା ସାଙ୍ଗରିଲା, ସୀନାମନ୍‌ ଗ୍ରାଣ୍ଡ ଏବଂ କିଙ୍ଗ୍‌ସବରିରେ ହୋଇଥିଲା ଅନ୍ୟ ୩ଟି ବିସ୍ଫୋରଣ। ଏହି ୬ଟି ବିସ୍ଫୋରଣର କିଛି ଘଣ୍ଟା ପରେ ଜାତୀୟ ଚିଡ଼ିଆଖାନା ନିକଟରେ ଅନ୍ୟ ଏକ ବିସ୍ଫୋରଣ ଘଟିଥିବା ପ୍ରକାଶ। ପରେପରେ କଲମ୍ବୋର ଏକ ହାଉସିଂ କଂପ୍ଲେକ୍ସରେ ଅଷ୍ଟମ ବିସ୍ଫୋରଣ ହୋଇଛି।

ସମସ୍ତ ବିସ୍ଫୋରଣ ଆତ୍ମଘାତୀ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରଥମ ବିସ୍ଫୋରଣ କଲମ୍ବୋର ସେଣ୍ଟ୍‌ ଆନ୍ଥୋନିସ ଚର୍ଚ ଏବଂ ନେଗାମ୍ବୋ ସହରର ସେଣ୍ଟ୍‌ ସେବାଷ୍ଟିଆନ ଚର୍ଚରେ ହୋଇଥିବା ପ୍ରକାଶ।

ବିଭିନ୍ନ ଚର୍ଚରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅଧିକାଂଶ ନିହତ ହୋଇଥିବା ସୂଚନା ଦିଆଯାଇଛି।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଗେ ଏହି ଆତ୍ମଘାତୀ ବିସ୍ଫୋରଣର ଘୋର ନିନ୍ଦା କରିବା ସହ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶବାସୀଙ୍କୁ ଏକତ୍ର ହେବ ପାଇଁ ଆହ୍ୱାନ ଦେଇଛନ୍ତି।

ରାଷ୍ଟ୍ରପତି ବିକ୍ରମାସିଙ୍ଗେ ଏକ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି ଏବଂ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୨୦୦ ସୈନିକଙ୍କୁ ନିୟୋଜିତ କରାଯାଇଛି। କ୍ରମାଗତ ବିସ୍ଫୋରଣ ପରେ ସରକାର କର୍ଫ୍ୟୁ ଜାରି କରିଛନ୍ତି। ବିସ୍ଫୋରଣ ପରେ ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛିI ଘଟଣା ପରେ କଲମ୍ବୋ ବିମାନ ବନ୍ଦରରେ ଭ୍ରମଣକାରୀଙ୍କୁ ବାରଣ କରାଯିବା ବ୍ୟତୀତ ଯାତ୍ରୀମାନଙ୍କୁ ୪ ଘଣ୍ଟା ଆଗରୁ ପ୍ରବେଶ ପାଇଁ ନିର୍ଦେଶ ଦିଆଯାଇଛି।

ଏହି ଆତ୍ମଘାତୀ ବିସ୍ଫୋରଣରେ ସମ୍ପୃକ୍ତ ଥିବା ସନ୍ଦେହରେ ୭ ଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ। ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ନେସନାଲ୍‌ ଥୋହିଥ ଯମାଥ (ଏନ୍‌ଟିଜେ) ନାମକ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣର ୧୦ ଦିନ ପୂର୍ବରୁ ଶ୍ରୀଲଙ୍କା ‌େପାଲିସ ମୁଖ୍ୟ ପୂଜୁଥ ଜୟସୁନ୍ଦର ଏଭଳି ଆତ୍ମଘାତୀ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଦେଇଥିଲେ। ଏନ୍‌ଟିଜେ ବିଭିନ୍ନ ଗିର୍ଜା ଏବଂ ଭାରତୀୟ ହାଇ କମିସନକୁ ଟାର୍ଗେଟ କରିପାରେ ବୋଲି ଗୁଇନ୍ଦା ସତର୍କବାଣୀ ଜାରି କରାଯାଇଥିଲା।

କ୍ରମାଗତ ବିସ୍ଫୋରଣ ପରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଘଟଣାର କଡ଼ା ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିସ୍ଫୋରଣର ନିନ୍ଦା କରିବା ସହ ଏଭଳି ଘୃନ୍ୟକାଣ୍ଡର କୌଣସି ସ୍ଥାନ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର