ରାଜପକ୍ଷେଙ୍କ ଦେଶ ଛାଡ଼ିବା ଉପରେ ରୋକ୍ ଲଗାଇଲେ କୋର୍ଟ

କଲମ୍ବୋ : ଶ୍ରୀଲଙ୍କାର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ, ତାଙ୍କ ରାଜନୈତିକ ଉତ୍ତରାଧିକାରୀ ତଥା ପୁତ୍ର ନମଲ ଓ ୧୫ ଜଣ ସହଯୋଗୀଙ୍କ ଦେଶ ଛାଡ଼ିବା ଉପରେ ରୋକ ଲଗାଇଛନ୍ତି । ଦେଶରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ରାଜପକ୍ଷେଙ୍କ ବିରୋଧରେ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ ଆଜି ପୁଣି ଥରେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯିବାର ସମ୍ଭାବନା ରହିଛି ।

କଲମ୍ବୋର ମାଜିଷ୍ଟ୍ରେଟ ଗତ ସୋମବାର ହୋଇଥିବା ହିଂସାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ହିଂସାରେ ୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ପ୍ରାୟ ୨୨୫ ଜଣ ଆହତ ହୋଇଥିଲେ । ଏହି ହିଂସାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ଓ କେତେକ ପୀଡ଼ିତ କହିଛନ୍ତି ଯେ ମହିନ୍ଦ ରାଜପକ୍ଷେଙ୍କ ପ୍ରାୟ ୩ ହଜାର ସମର୍ଥକ ରାଜଧାନୀ କଲମ୍ବୋକୁ ଆସି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଲୋକମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ପରେ ଦୁଇପକ୍ଷ ମଧ୍ୟରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ଏହି ହିଂସାକାଣ୍ଡ ଖବର ବ୍ୟାପିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହେବା ସହ ପୋଡ଼ାଜଳା ଓ ସରକାରୀ ସମର୍ଥକମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା ।

ଏହି ହିଂସାକାଣ୍ଡ ବ୍ୟାପିବା ପରେ ରାଜପକ୍ଷେ ଇସ୍ତଫା ଦେବା ସହ ପରିବାର ସହିତ ତ୍ରିଙ୍କୋମାଳି ନିକଟସ୍ଥ ଏକ ଦ୍ବୀପରେ ନୌସେନା ସୁରକ୍ଷାରେ ଆତ୍ମଗୋପନ କରିଛନ୍ତି ।

 

 

ସମ୍ବନ୍ଧିତ ଖବର