ଶ୍ରୀଲଙ୍କା ସଂକଟ : ନୂଆ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି ଆନ୍ଦୋଳନ କଲେଣି ଲୋକେ

କଲମ୍ବୋ : ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ରାନିଲ ବିକ୍ରମସିଂଘେ ଦାୟିତ୍ବ ଗ୍ରହଣ କରିବା ପରେ ବି ଲୋକମାନଙ୍କ କ୍ରୋଧ ଶାନ୍ତ ପଡ଼ୁନାହିଁ । କେତେକ ଅଂଚଳରେ ନୂଆ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି ବିକ୍ଷୋଭ ଆରମ୍ଭ ହୋଇଗଲାଣି । ଲୋକମାନେ କଲମ୍ବୋଠାରେ ଥିବା ପ୍ରଧାନମନ୍ତ୍ରୀ ଅଫିସ ଆଗରେ ‘ରାନିଲ ଘରକୁ ଯାଅ’  ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ କରୁଛନ୍ତି ।

ସେ ଦେଶ ଓ ଲୋକମାନଙ୍କ ପ୍ରତି ନ୍ୟାୟ କରିବେ ବୋଲି ଲୋକମାନେ ବିଶ୍ବାସ କରିପାରୁନାହାନ୍ତି । ସେ ଦୁର୍ନୀତିଗ୍ରସ୍ତ ରାଜପକ୍ଷେ ପରିବାରର ବିଶ୍ବସ୍ତ, ଏଣୁ ସେ ନ୍ୟାୟ କରିପାରିବେ ନାହିଁ ବୋଲି ବିକ୍ଷୋଭ କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ଗତ ଗୁରୁବାରଦିନ ରାନିଲ ଦେଶର ୨୬ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସୋମବାର ଦିନ ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାର ଦୁଇଦିନ ପରେ ବୁଧବାରଦିନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ରାନିଲଙ୍କ ମଧ୍ୟରେ ଅନୁଷ୍ଠିତ ଏକ ରୁଦ୍ଧଦ୍ବାର ବୈଠକ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀଲଙ୍କାର ଶାସକ ଦଳ ଏସଏଲପିପି ରାନିଲଙ୍କୁ ସମର୍ଥନ କରୁଛି ।

ସୂଚନାଯୋଗ୍ୟ ଯେ, ନିଜ ସ୍ବାଧୀନତା ପରର ସବୁଠାରୁ ଖରାପ ଆର୍ଥିକ ସଂକଟ ଦେଇ ଗତିକରୁଥିବା ଶ୍ରୀଲଙ୍କାରେ ଜନଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଲୋକମାନେ ଏହି ସଂକଟ ପାଇଁ ରାଜପକ୍ଷେ ପରିବାରକୁ ଦାୟୀ କରୁଛନ୍ତି ।

 

ସମ୍ବନ୍ଧିତ ଖବର