ଶ୍ରୀଲଙ୍କା ସଂକଟ: ମିଳିତ ସରକାର ପାଇଁ ବିରୋଧୀ ଅରାଜି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ

ଲୁହବୁହା ବାଷ୍ପ ଓ ପାଣିମାଡ଼, ୪ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଓ ଜରୁରୀ ପରିସ୍ଥିତିକୁ ନେଇ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଗଣ-ଇସ୍ତଫା ପରେ ସୋମବାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ସଂସଦର ବୈଧତା ଓ ସ୍ଥିରତା ରକ୍ଷା କରିବା ଏବଂ ଦେଶର ଅନ୍ୟାନ୍ୟ କାର୍ଯ୍ୟଧାରାର ପରିଚାଳନା ନିମନ୍ତେ ପୂରା କ୍ୟାବିନେଟ୍‌ର ନିଯୁକ୍ତି ପର୍ଯ୍ୟନ୍ତ ଅନ୍ତତଃ ୪ ଜଣ ମନ୍ତ୍ରୀଙ୍କୁ ମନୋନୀତ କରିଛନ୍ତି। ଏପରି କି ଏକ ମିଳିତ ସରକାର ଗଠନ ନିମନ୍ତେ ସେ ବିରୋଧୀ ଦଳକୁ ମଧ୍ୟ ଆହ୍ବାନ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଭାଇ ବାସିଲ ରାଜପକ୍ଷଙ୍କ ସ୍ଥାନରେ ପୂର୍ବତନ ନ୍ୟାୟମନ୍ତ୍ରୀ ଅଲି ସାବ୍ରିଙ୍କୁ ନୂତନ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଚାରି ନୂଆ ମନ୍ତ୍ରୀ ଆଜି ରାଷ୍ଟ୍ରପତୀୟ ସଚିବାଳୟରେ ରାଷ୍ଟ୍ରପତିଙ୍କ ଆଗରେ ଶପଥ ପାଠ କରିଥିଲେ। ଗୃହର ନେତା ଦିନେଶ ଗୁଣବର୍ଦ୍ଧନ ଶିକ୍ଷାମନ୍ତ୍ରୀ ଭାବେ ଏବଂ ମୁଖ୍ୟ ସରକାରୀ ହ୍ବିପ୍ ଜନସନ ଫର୍ଣ୍ଣାଣ୍ଡୋ ରାଜପଥ ମନ୍ତ୍ରୀ ଭାବେ ଶପଥ ପାଠ କରିଥିଲେ। ତେବେ ପ୍ର. ଗାମିନୀ ଲକ୍ଷଣ ପ୍ୟାରିସଙ୍କୁ ବିଦେଶ ବ୍ୟାପାର ମନ୍ତ୍ରୀ ଭାବେ ପୁନର୍ନିଯୁକ୍ତି ଦିଆଯାଇଥିଲା। ଦେଶରେ ଚାଲିଥିବା ସଂକଟର ମୁକାବିଲା କରିବା ପାଇଁ ରାଷ୍ଟ୍ରପତି ରାଜପକ୍ଷ ସବୁ ଦଳ‌ର ନେତାଙ୍କୁ ମିଳିମିଶି ବାଟ ବାହାର କରିବା ପାଇଁ ଅନୁରୋଧ କରିଛନ୍ତି। ସବୁ ଦଳର ନେତାଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି।
ରବିବାର ଶ୍ରୀଲଙ୍କା କ୍ୟାବିନେଟ୍‌ର ସମସ୍ତ ୨୬ ଜଣ ଯାକ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଇତିମଧ୍ୟରେ ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ୩୬ ଘଣ୍ଟିଆ କର୍ଫ୍ୟୁ ସୋମବାର ସକାଳେ ଉଠାଇ ଦିଆଯାଇଛି। ଶନିବାରଠାରୁ ଟ୍ବିଟର, ହ୍ବାଟ୍‌ସଆପ୍ ଓ ୟୁଟ୍ୟୁବ୍ ପରି ସୋସିଆଲ ମିଡ଼ିଆକୁ ସରକାର ବନ୍ଦ କରିଥିବା ବେଳେ ସେହି କଟକଣାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପୁଅ ନାମାଲ ରାଜପକ୍ଷଙ୍କ ବିରୋଧ ପରେ ରବିବାର ଅପରାହ୍ଣରେ ଉଠାଇ ଦିଆଯାଇଛି।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷ ‌ମିଳିମିଶି ସରକାର ଗଠନ ପାଇଁ ବିରୋଧୀ ଦଳଗୁଡ଼ିକୁ ଦେଇଥିବା ଆହ୍ବାନକୁ ସେମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ସର୍ବବୃହତ୍ ବିରୋଧୀ ଦଳ ୟୁନାଇଟେଡ ପିପୁଲ୍ସ ଫୋସ୍ ବା ଏସ୍‌ଜେବି ତୁରନ୍ତ ରା‌ଷ୍ଟ୍ରପତିଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି। ଦେଶବାସୀ ଚାହୁଛନ୍ତି ପୂରା ରାଜପକ୍ଷ ପରିବାର କ୍ଷମତାରୁ ବିଦା ହୁଅନ୍ତୁ। ଲୋକଙ୍କ ଇଚ୍ଛା ବିରୋଧରେ ଆମେ ଯାଇ ପାରିବୁ ନାହିଁ ଏବଂ ଦୁର୍ନୀତିଗ୍ରସ୍ତଙ୍କ ସହିତ କାମ କରିପାରିବୁ ନାହିଁ ବୋଲି ଏସ୍‌ଜେବି କର୍ମକର୍ତ୍ତା କହିଛନ୍ତି। ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ଏସଜେବିର ୫୪ ଜଣ ସଦସ୍ୟ ରହିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ଆନ୍ଦୋଳନକାରୀଙ୍କ ଉପରକୁ ଶ୍ରୀଲଙ୍କା ପୁଲିସ ଲୁହବୁହା ବାଷ୍ପ ଏବଂ ପାଣି ତୋପ ମାଡ଼ କରିଛି।

ସମ୍ବନ୍ଧିତ ଖବର