ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ୪୨୦ ହେଲା ପେଟ୍ରୋଲ ଦର

କ‌ଲମ୍ବୋ : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲର ଘୋର୍‌ ଅଭାବ ଦେଖାଦେବାରୁ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପେଟ୍ରୋଲ ଦର୨୪.୩% ଏବଂ ଡିଜେଲ ୩୮.୪% ବୃଦ୍ଧି ପାଇଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହି କାରଣରୁ ଏହି ବୃଦ୍ଧି ଘଟିଛି। ଏପ୍ରିଲ ୧୯ ପରେ ପଡୋଶୀ ଦେଶରେ ଇନ୍ଧନ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି। ଏଥିସହ, ଅଧିକ ବ୍ୟବହାର ହେଉଥିବା ଅକ୍ଟାନେ ୯୨ ପେଟ୍ରୋଲର ଲିଟର ପିଛା ୪୨୦ଟଙ୍କା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୪୦୦ ହୋଇଛି।

ଏହା ପୂର୍ବରୁ ପେଟ୍ରୋଲର ଘୋର୍‌ ଅଭାବ ଦେଖାଦେବାରୁ ପେଟ୍ରୋଲ ଟାଙ୍କି ଗୁଡ଼ିକରେ ‘ନୋ ପେଟ୍ରୋଲ୍‌’ ‌ପୋଷ୍ଟର୍‌ ଲଗାଯାଇଥିଲା। ପେଟ୍ରୋଲ ଟାଙ୍କି ଗୁଡ଼ିକରେ ଦୀର୍ଘ କିମି ବ୍ୟାପୀ ଲମ୍ବା ଧାଡ଼ି ଲାଗିଥିଲା। ସ୍ଥାନୀୟ ଲୋକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ୍‌ ପାଇଁ ଅପେକ୍ଷା କରିଥିଲେ। କିନ୍ତୁ ପେଟ୍ରୋଲ ନଥିଲା।

ndtv

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀଲଙ୍କାର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଥିଲେ ଯେ ଶ୍ରୀଲଙ୍କାରେ କେବଳ ଗୋଟିଏ ଦିନର ପେଟ୍ରୋଲ୍‌ ରହିଛି। ଦିନକ ପରେ ପ‌େଟ୍ରୋଲ ସରିଯିବ ବୋଲି ବିକ୍ରମସିଂଘେ କହିଥିଲେ। ଏବେ ପେଟ୍ରୋଲ-ଡିଜେଲ କମ ହେବା ସହ ଦର ବୃଦ୍ଧି ଆକାଶ ଛୁଆଁ ହୋଇଛି। ଏଭଳି ସ୍ଥିତିରେ ଭୟଙ୍କର ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କାର ନୂଆ ସରକାର ଏହାର ଜାତୀୟ ଏୟାରଲାଇନ୍‌ ବିକିବାପାଇଁ ଯୋଜନା କରିଛନ୍ତି। ଶ୍ରୀଲଙ୍କାରେ ନୂଆ ପ୍ରଶାସନ ଏୟାରଲାଇନ୍‌ ଗୁଡ଼ିକୁ ଘରୋଇକରଣ କରିବାପାଇଁ ଯୋଜନା କରିଛନ୍ତି ବୋଲି ରାନିଲ ବିକ୍ରମସିଂଘେ କହିଛନ୍ତି। ବିକ୍ରମସିଂଘେ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଦରମା ଦେବାପାଇଁ ଟଙ୍କା ଛାପିବେ ବୋଲି କହିଛନ୍ତି। ଟଙ୍କା ଛାପିବା ପାଇଁ ସେ ବାଧ୍ୟ ହେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର