କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏପର୍ଯ୍ୟନ୍ତ ଦେଶରେ ଅଛନ୍ତି। ବିବିସିକୁ ଦେଇଥିବା ସାକ୍ଷାତକାରରେ ବାଚସ୍ପତି ଏକ ତ୍ରୁଟି କରିଦେଇଛନ୍ତି। ନିଜେ ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଦ୍ଦେନା ସୋମବାର ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନ ଚଳାଇଥିବା ସଂଗଠନଗୁଡ଼ିକର ନେତାମାନେ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସେମାନଙ୍କ ପଦ ନଛାଡ଼ିବା ପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନକୁ ଅଧୀନରେ ରଖିବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କର ଅବସ୍ଥିତି ସଂପର୍କରେ ଯଦିଓ କୌଣସି ସୂଚନା ଦିଆଯାଇ ନାହିଁ କିନ୍ତୁ ଅନେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୋମବାର ସେ ଦେଶ ଛାଡ଼ି ଦୁବାଇ ପଳାଇ ଯାଇପାରନ୍ତି। ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟ କାଟୁନାୟକେ ବାୟୁସେନା ଘାଟିକୁ ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏଥିଯୋଗୁ ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଦେଖାଦେଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଉତ୍ତରାଧିକାରୀ ଆସନ୍ତା ୨୦ ତାରିଖରେ ନିର୍ବାଚିତ ହେବେ। ପୂର୍ବ ଘୋଷଣା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ। ୧୫ ତାରିଖରେ ସଂସଦର ଅଧିବେଶନ ହେବ। ୧୯ ତାରିଖ ସୁଦ୍ଧା ରାଷ୍ଟ୍ରପତି ପଦ ପାଇଁ ମନୋନୟନ ପତ୍ର ଗ୍ରହଣ କରାଯିବ ତାହା ପରେ ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ନୂଆ ସରକାର ଗଠନ ପାଇଁ ଗୋଟାବାୟ ଓ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ସମ୍ବିଧାନ ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ। ଏହାପରେ ୩୦ ଦିନ ଭିତରେ ସଂସଦ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ। ଗୋଟାବାୟା ରାଜପକ୍ଷଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୪ରେ ଶେଷ ହେଉଛି। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନବନିଯୁକ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବଳବତ୍ତର ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ରାଷ୍ଟ୍ରପତିଙ୍କ ଖଟ ଉପରେ ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳିଲେ
କଲମ୍ବୋ: ଗତ ଶନିବାର ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ବାସଭବନକୁ ଧସେଇ ପଶିଥିବା ଆନ୍ଦୋଳନକାରୀମାନେ ଜିମ୍ରେ ବ୍ୟାୟାମ କରିଥିଲେ ଏବଂ ସୁଇମିଂ ପୁଲ୍ରେ ଗାଧୋଇଥିଲେ। ମନ ଭରି ଖାଇଥିଲେ ଓ ହାର୍ମୋନିୟମ ବଜାଇଥିଲେ ଏବଂ କ୍ୟାରମ୍ ଖେଳିଥିଲେ। ଏସବୁର ଭିଡିଓ ପୂର୍ବରୁ ଭାଇରାଲ୍ ହୋଇସାରିଛି। କିନ୍ତୁ ଏବେ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତିଙ୍କ ବେଡ୍ ଉପରେ ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳୁଥିବାର ଦେଖିବାକୁ ମିଳିଛି। ସେମାନେ ରାଷ୍ଟ୍ରପତିଙ୍କ ବେଡ୍ ଉପରେ ଶୋଇଥିବାବେଳେ ଡବ୍ଲ୍ୟୁଡବ୍ଲ୍ୟୁଇ ଖେଳିଥିଲେ ଏବଂ ଏହି କାର୍ଯ୍ୟକୁ ଫୋନ୍ରେ ରେକର୍ଡ କରିଥିଲେ। ଇତି ମଧ୍ୟରେ ଶ୍ରୀଲଙ୍କା ପୁଲିସ ଆଜି ରାଜପକ୍ଷଙ୍କ ବାସଭବନରୁ ମିଳିଥିବା ଟଙ୍କା କୋର୍ଟରେ ଦାଖଲ କରିଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନରୁ ଆନ୍ଦୋଳନକାରୀମାନେ ୫୦ ହଜାର ଡଲାର ପାଇଥିଲେ।