କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ନିଜ ଦେଶରେ ପ୍ରବଳ ବିରୋଧର ସମ୍ମୁଖୀନ ହେବା ପରେ ଜୀବନ ପ୍ରତି ଭୟ ଆଶଙ୍କା କରି ଦୁବାଇ ପଳାୟନ କରିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଗତରାତିରେ ତାଙ୍କର ଏ ଉଦ୍ୟମକୁ ବିମାନବନ୍ଦରର ଆପ୍ରବାସନ ଅଧିକାରୀମାନେ ପଣ୍ଡ କରିଦେଇଛନ୍ତି। ଗୋଟାବାୟା ବୁଧବାର ଇସ୍ତଫା ଦେବା ଏବଂ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରରେ ସହଯୋଗ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ ଶନିବାର ୭୩ ବର୍ଷୀୟ ନେତାଙ୍କ ସରକାରୀ ବାସଭବନକୁ ହଜାର ହଜାର ଲୋକ ଘେରି ଯାଇଥିଲେ ଏବଂ ବହୁଲୋକ ଘର ଭିତରେ ବି ପ୍ରବେଶ କରିଥିଲେ। ସୁରକ୍ଷା କର୍ମୀଙ୍କ ସହଯୋଗରେ ଗୋଟାବାୟା ଘରଛାଡ଼ି ପଳାୟନ କରିଥିଲେ। ଯେପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଅଛନ୍ତି ଦେଶର ନିୟମ ଅନୁସାରେ ତାଙ୍କୁ କେହି ଗିରଫ କରିପାରିବେ ନାହିଁ। ମାତ୍ର ପଦରୁ ଇସ୍ତଫା ଦେବା ଏବଂ କ୍ଷମତା ହସ୍ତାନ୍ତର କରିଦେବା ପରେ ସେହି ସୁରକ୍ଷା ଆଉ ତାଙ୍କର ରହିବ ନାହିଁ। ତେଣୁ ଗିରଫଦାରିରୁ ବଞ୍ଚିବା ପାଇଁ କ୍ଷମତାରେ ଥାଇ ବିଦେଶ ପଳାୟନ ପାଇଁ ଗୋଟାବାୟା ମସୁଧା କରିଥିଲେ। କିନ୍ତୁ ଏହି ଯୋଜନାକୁ ବିମାନବନ୍ଦରର ଆପ୍ରବାସନ କର୍ମଚାରୀମାନେ ବିଫଳ କରିଦେଇଥିଲେ । ଗୋଟାବାୟା ତାଙ୍କ ପାସ୍ପୋର୍ଟରେ ଷ୍ଟାମ୍ପ ମାରିବା ପାଇଁ ଭିଆଇପି ସୁଟ୍କୁ ଯିବାକୁ ଚାହୁଥିଲେ। କାରଣ ସାଧାରଣ ଯାତ୍ରୀମାନେ ଯେଉଁଠି ଏହା କରୁଛନ୍ତି ସେଠିକି ଗଲେ ଅନ୍ୟ ଯାତ୍ରୀମାନେ ହୁଏତ ତାଙ୍କ ଉପରେ ଆକ୍ରମଣ କରିପାରନ୍ତି ଏହି ଭୟ ଥିଲା। କିନ୍ତୁ ଆପ୍ରବାସନ କର୍ମଚାରୀମାନେ ତାଙ୍କୁ ଭିଆଇପି ସୁଟ୍କୁ ଯିବାକୁ ଦେଲେ ନାହିଁ। ଫଳରେ ଗୋଟାବାୟା ପଛକୁ ପଛ ଚାରିଟି ବିମାନ ମିସ୍ କଲେ ଯେଉଁଥିରେ ସେ ୟୁଏଇ ଯାଇପାରିଥାନ୍ତେ। ତେଣୁ ରାଷ୍ଟ୍ରପତି ଦମ୍ପତି ବାଧ୍ୟ ହୋଇ ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ଥିବା ସାମରିକ ଘାଟିରେ ରାତ୍ରିଯାପନ କଲେ।
ଗୋଟାବାୟା ରାଜପକ୍ଷଙ୍କ ସାନଭାଇ ବାସିଲ, ଯେ କି ଗତ ଏପ୍ରିଲ ମାସରେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେ ବି ନିଜ ଏମିରେଟ୍ସ ବିମାନରେ ମଙ୍ଗଳବାର ଦୁବାଇ ଯିବାକୁ ଉଦ୍ୟମ କରି ବିମାନବନ୍ଦର କର୍ମଚାରୀଙ୍କ ଅସହଯୋଗ ଯୋଗୁ ବିଫଳ ହୋଇଛନ୍ତି। ବାସିଲ ଚାହୁଥିଲେ ଭିଆଇପି ସେବାର ସୁଯୋଗ ନେବା ପାଇଁ। କିନ୍ତୁ ବିମାନବନ୍ଦର ଓ ଆପ୍ରବାସନ କର୍ମଚାରୀମାନେ କହିଥିଲେ ଯେ ସେମାନେ ଉକ୍ତ ଫାଷ୍ଟ ଟ୍ରାକ୍ ସେବାକୁ ତତ୍କାଳ ପ୍ରତ୍ୟାହାର କରିନେଉଛନ୍ତି। ବାସିଲ ଉକ୍ତ ବିମାନରେ ଯିବାକୁ ଅନ୍ୟ ଯାତ୍ରୀମାନେ ବିରୋଧ କରୁଛନ୍ତି ବୋଲି ସେମାନେ କହିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା, ଫଳରେ ବାସିଲ ତୁରନ୍ତ ବିମାନବନ୍ଦର ପରିତ୍ୟାଗ କରିଥିଲେ। ରାଷ୍ଟ୍ରପତି ରାଜପକ୍ଷଙ୍କ ସମେତ ସମସ୍ତ ପ୍ରଭାବଶାଳୀ ନେତା ଓ ଅଧିକାରୀଙ୍କ ଉପରେ ଯାତ୍ରା କଟକଣା ଲଗାଇବାପାଇଁ ଶ୍ରୀଲଙ୍କା ସୁପ୍ରିମକୋର୍ଟରେ ଆଜି ଏକ ଆବେଦନ ହୋଇଛି। ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ରାଜପକ୍ଷ ଭ୍ରାତା ଓ ଶୀର୍ଷ ଅଧିକାରୀ ଯେଭଳି ଦେଶ ଛାଡ଼ିପାରିବେନି ସେ ନେଇ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେବାପାଇଁ ଆବେଦନରେ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5h54f56fh4f65h4fsh65sfh.jpg)