ଶ୍ରୀଲଙ୍କା ଅଣାୟତ୍ତ: ଲୋକଙ୍କ କବ୍‌ଜାରେ ରାଷ୍ଟ୍ରପତି ଭବନ

ରାଷ୍ଟ୍ରପତି ଫେରାର, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

କଲମ୍ବୋ : ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପରିସ୍ଥିତି ପୁଣି ଅଣାୟତ୍ତ ହେଲାଣି। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଶନିବାର ଦିନ ରାଷ୍ଟ୍ରପତି ଭବନରେ ପଶି ଏହାକୁ କବଜା କରିନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଫେରାର ହୋଇଯାଇଛନ୍ତି। କୌଣସି ଅଜ୍ଞାତ ସ୍ଥାନରେ ରହି ଘୋଷଣା କରିଛନ୍ତି ଯେ ଆସନ୍ତା ସୋମବାର ଦିନ ସେ ଇସ୍ତଫା ଦେବେ। ସେହିଭଳି ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେ ମଧ୍ୟ ଇସ୍ତଫା ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ଣରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ କଲମ୍ବୋସ୍ଥିତ ସରକାରୀ ବାସଭବନରେ ଧସେଇ ପଶିଛନ୍ତି। ସୁରକ୍ଷା କର୍ମୀମାନେ ଫାଙ୍କା ଗୁଳିଚାଳନା କରିବା ସହ ଲୁହବୁହା ଗ୍ୟାସ୍‌ ମାଡ଼ କରିଥିଲେ। ତଥାପି ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇନଥିଲା ଏବଂ ୧୦ ହଜାରରୁ ଅଧିକ ଲୋକ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରି ଯାଇଥିଲେ ଏବଂ ସମଗ୍ର ଭବନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଜୀବନଭୟରେ ରାଜପକ୍ଷ ପୁଲିସ ସୁରକ୍ଷା ଭିତରେ ସରକାରୀ ଘରଛାଡ଼ି ପଳାୟନ କରିଥିବା ଜଣାପଡ଼ିଛି। ରାଜପକ୍ଷ ଶ୍ରୀଲଙ୍କା ନୌସେନାର ଜାହାଜରେ କୌଣସି ଏକ ଅଜ୍ଞାତ ସ୍ଥାନକୁ ପଳାଇଥିବା ଜଣାପଡ଼ିଛି। ଦେଶସାରା ଆଜି ହିଂସାତ୍ମକ ବିକ୍ଷୋଭ ହୋଇଥିବା ବେଳେ ସନ୍ଧ୍ୟାରେ କ୍ୟାବିନେଟ୍‌ର ଏକ ଜରୁରୀ ବୈଠକ ପରେ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେ ଇସ୍ତଫା ଦେଇଛନ୍ତି ଏବଂ ମିଳିତ ସରକାର ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ବାଚସ୍ପତିଙ୍କୁ କହିଛନ୍ତି।

ରାଷ୍ଟ୍ରପତିଙ୍କ ବାସଭବନରେ ଶନିବାର ଦିନ ଚଢ଼ଉ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ପୁଲିସର ଫାଙ୍କା ଗୁଳିଚାଳନାରୁ ଜଣାପଡ଼ୁଛି ବିକ୍ଷୋଭ କେତେ ଭୟାନକ ଥିଲା। ସମୁଦ୍ର ଲହଡ଼ି ପରି ହଜାର ହଜାର ପୁରୁଷ ଓ ମହିଳା ଗୋଟାବାୟାଙ୍କ ବାସଭବନ ଭିତରକୁ ମାଡ଼ି ଆସିଥିଲେ। ସାମାଜିକ ଗଣମାଧ୍ୟମଗୁଡ଼ିକ ପ୍ରତିବାଦ ସମୟର ଲାଇଭ୍ ଫୁଟେଜ୍‌ରେ ଭର୍ତ୍ତି ହୋଇ ଯାଇଥିଲା। ‘ଗୋଟା, ଗୋ ହୋମ୍’ ଧ୍ବନିରେ ଗଗନପବନ ପ୍ରକମ୍ପିତ ହୋଇଉଠିଥିଲା। ତେବେ ପ୍ରତିବାଦକାରୀମାନେ କିଛି ଭଙ୍ଗାରୁଜା ନ କରି ଗୋଟାବାୟାଙ୍କ ଘରକୁ ଦଖଲ କରିନେଇଥିବା ଜଣାପଡ଼ିଛି। ସେମାନେ ରାଷ୍ଟ୍ରପତି ଭବନ ସୁଇମିଂ ପୁଲରେ ଗାଧୋଇଥିଲେ ଏବଂ କିଚିନରେ ରୋ‌େଷଇ କରିଥିଲେ। ବିଦ୍ରୋହୀମାନେ ଏହି ଆନ୍ଦୋଳନର ନାଁ ଦେଇଛନ୍ତି ‘ହୋଲ୍ କଣ୍ଟ୍ରି ଟୁ କଲମ୍ବୋ’ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରାଜଧାନୀ ମୁହାଁ ହେବାର ଦେଖାଯାଇଥିଲା। ପୁଲିସ ଶୁକ୍ରବାର ରାତିରୁ କର୍ଫ୍ୟୁ ଜାରି କରିଥିଲେ ମଧ୍ୟ ଓକିଲ ଓ ମାନବାଧିକାର ଆୟୋଗଙ୍କ ବିରୋଧ ଯୋଗୁ ଆଜି ସକାଳେ ତାହା ଉଠାଇ ନେବାକୁ ବାଧ୍ୟ ହୋଇଥିଲା।

ଆର୍ଥିକ ସଙ୍କଟରେ କୌଣସି ପରିବର୍ତ୍ତନ ହେଉନଥିବା ଏବଂ ହିଂସା ବଢ଼ୁଥବାରୁ ମେ ମାସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବିକ୍ରମସିଙ୍ଘେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ବିକ୍ରମସିଂଘେଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବାରୁ ଆଜି ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର