ଶ୍ରୀଲଙ୍କା ସଙ୍କଟ: କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ବିକ୍ରମସିଂଘେ

ଆଜିଠୁ ଆରମ୍ଭ ହେବ ସଂସଦ, ଦେଶ ଛାଡ଼ିପାରିବେନି ମହିନ୍ଦା ରାଜପକ୍ଷ, ବାସିଲ ରାଜପକ୍ଷ

କଲମ୍ବୋ: ‌ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗତକାଲି ଇମେଲ୍‌ରେ ଇସ୍ତଫା ଦେବାପରେ ବାଚସ୍ପତି ତାଙ୍କ ଇସ୍ତଫାପତ୍ରକୁ ଆଜି ଗ୍ରହଣ କରିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଆଜି କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷେ ଅାସନ୍ତାକାଲିଠାରୁ ସଂସଦ ଆରମ୍ଭ ହେବ ଏବଂ ୭ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଦେନା କହିଛନ୍ତି। ଶ୍ରୀଲଙ୍କା ଶାସକ ଦଳ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିବ ବୋଲି ଜଣାପଡ଼ିଛି। ରାନିଲ ବିକ୍ରମସିଂଘେ ଶପଥ ନେବାପରେ କହିଛନ୍ତି, ସେ ସାମ୍ବିଧାନିକ ପ୍ରକ୍ରିୟାକୁ ଅନୁକରଣ କରିବେ ଏବଂ ଦେଶରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବେ। ବିକ୍ରମସିଂଘେ କହିଛନ୍ତି, ଆମେ ସାଂସଦମାନଙ୍କ ପାଇଁ ସ୍ବାଧୀନ ଭାବେ ମତ ରଖିବା ପାଇଁ ବାତାବରଣ ସୃଷ୍ଟି କରିବା ଉଚିତ। ସେମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ମିଳିବା ଦରକାର। ଇତି ମଧ୍ୟରେ ଗୋଟାବାୟାଙ୍କ ଇସ୍ତଫା ପରେ ସରକାର ବିରୋଧୀ ଆନ୍ଦୋଳନକାରୀମାନେ କହିଛନ୍ତି, ଲୋକଙ୍କୁ ଦୁର୍ଦ୍ଦିନକୁ ଠେଲି ଦେଇ କୌଣସି ସରକାର ତିଷ୍ଠି ପାରିବ ନାହିଁ। ସବୁ ଦଳ ଏକଜୁଟ ହୋଇ ସଙ୍କଟର ସମାଧାନ କରିବାକୁ ସେମାନେ କହିଛନ୍ତି।

ଦେଶ ଛାଡ଼ିପାରିବେନି ମହିନ୍ଦା ରାଜପକ୍ଷ, ବାସିଲ ରାଜପକ୍ଷ
କଲ‌ମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷ ଦେଶ ଛାଡ଼ି ପାରିବେନି। କୋର୍ଟଙ୍କ ବିନା ଅନୁମତିରେ ଉଭୟ ମହିନ୍ଦା ରାଜପକ୍ଷ ଏବଂ ବାସିଲ ରାଜପକ୍ଷ ଜୁଲାଇ ୨୮ ପର୍ଯ୍ୟନ୍ତ ଦେଶ ଛାଡ଼ିପାରିବେନି ବୋଲି ଶ୍ରିଲଙ୍କା ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୨ ଜଣ ପୂର୍ବତନ ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସମେତ ଅନ୍ୟ ୩ ଜଣ ପୂର୍ବତନ ଅଧିକାରୀ ମଧ୍ୟ କୋର୍ଟଙ୍କ ବିନା ଅନୁମତିରେ ଆଗାମୀ ଜୁଲାଇ ୨୮ ପର୍ଯ୍ୟନ୍ତ ଦେଶ ଛାଡ଼ି ପାରିବେନି। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାର ପୂର୍ବତନ ଅର୍ଥମନ୍ତ୍ରୀ ବାସିଲ ରାଜପକ୍ଷ ପୂର୍ବରୁ ଦେଶ ଛାଡ଼ିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଅନ୍ୟପକ୍ଷେ ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ଥିବା ସମୟରେ ହିଁ ଦେଶ ଛାଡ଼ି ଦେଇଥିଲେ। ପ୍ରଥମେ ସେ ଶ୍ରୀଲଙ୍କାରୁ ମାଳଦ୍ବୀପ ଯାଇଥିଲେ ଏବଂ ପରେ ମାଳଦ୍ବୀପରୁ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରୁ ସେ ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ।

ସମ୍ବନ୍ଧିତ ଖବର