ଗୃହଯୁଦ୍ଧର ନିଆଁରେ ଶ୍ରୀଲଙ୍କା: ପ୍ରଧାନମନ୍ତ୍ରୀଙ୍କ ଘର ଜାଳିଦେଲେ, ପ୍ରାଣ ଭୟରେ ଲୁଚୁଛନ୍ତି ନେତା

ବିକ୍ଷୋଭରେ ସାମିଲ ହେଲେ ସନତ ଜୟସୁରିୟା

କଲମ୍ବୋ: ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଅତି ସାଂଘାତିକ ରୂପ ନେଇଥିବା ବେଳେ ସବୁ ଅଂଚଳରେ ହିଂସାତ୍ମକ ବିକ୍ଷୋଭ ଚାଲିଛି। ପୂରା ଦେଶ ଗୃହଯୁଦ୍ଧର ନିଆଁରେ ଜଳୁଛି। ଆଜି ଉଗ୍ର ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଘରୋଇ ବାସଭବନ ଜାଳି ଦେଇଛନ୍ତି। ଶତାଧିକ ସ୍ଥାନରେ ହିଂସା ଜାରି ରହିଛି। କଲମ୍ବୋରେ କର୍ଫ୍ୟୁ ସତ୍ତ୍ବେ ବ୍ୟାପକ ହିଂସା ଲାଗି ରହିଥିବାରୁ ସେନା ବାହିନୀ ସ୍ଥିତି ନିୟନ୍ତ୍ରଣ କରୁଛି। ଜନ ଅସନ୍ତୋଷ ଆଜି ବଡ଼ ବିଦ୍ରୋହର ରୂପ ନେଇଛି। ଭୀଷଣ ବିରୋଧକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ଭବନ ଛାଡ଼ି ପଳାଇଥିବା ବେଳେ ସାଂସଦମାନଙ୍କୁ ମଧ୍ୟ ଲୋକେ ଖୋଜି ଖୋଜି ଆକ୍ରମଣ କରୁଛନ୍ତି। ଆଜି ଜଣେ ସାଂସଦଙ୍କୁ ଲୋକେ ଘରୁ ଟାଣିଆଣି ନିସ୍ତୁକ ମାଡ଼ ମାରିବା ସହ ଅନେକ ସରକାରୀ ଦପ୍ତରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇ ସେନାର କଡ଼ା ସୁରକ୍ଷା ବଳୟରେ ଅଛନ୍ତି। ମିଳିତ ସରକାର ପାଇଁ ପ୍ରୟାସ ଆରମ୍ଭ କରିବାକୁ ସଂସଦର ବାଚସ୍ପତିଙ୍କୁ ସେ ଅନୁରୋଧ କରିଥିଲେ ମଧ୍ୟ ଲୋକଙ୍କ କ୍ରୋଧରୁ ବର୍ତ୍ତିବା ପାଇଁ ଅଧିକାଂଶ ନେତା ଆତ୍ମଗୋପନ କରିଥିବାରୁ ଏହି ପ୍ରକ୍ରିୟା ଆଗେଇ ପାରୁନାହିଁ। ତେବେ ଏକ ଜରୁରୀ ବୈଠକରେ ମିଳିତ ସରକାର ପାଇଁ କେତେକ ପ୍ରସ୍ତାବ ଗୃହୀତ ହୋଇଛି। ହିଂସା ରୋକିବା ଓ ଅତି ଜଟିଳ ଆର୍ଥିକ ସଙ୍କଟକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମିଳିତ ସରକାର ଗଠନ ଜରୁରୀ ବୋଲି ବିକ୍ରମସିଂଘେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଆଜି ପ୍ରଥମ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ବନ୍ଦୁଲା ଗୁଣବର୍ଦ୍ଧନ ଇସ୍ତଫା ଦେଇଛନ୍ତି।

ସାମ୍ବାଦିକଙ୍କୁ ସୁରକ୍ଷା କର୍ମୀଙ୍କ ଆକ୍ରମଣ, ଶତାଧିକ ସ୍ଥାନରେ ହିଂସା

ସେନା କର୍ମଚାରୀ ଓ ସୈନିକମାନେ ଏବେ ଜନତାଙ୍କ ହିଂସାତ୍ମକ ପ୍ରତିବାଦକୁ ସମର୍ଥନ କରୁଥିବାରୁ ସରକାରଙ୍କ ଅଡ଼ୁଆ ବଢ଼ିଯାଇଛି। ଆଜି ଯେଭଳି ଭାବେ ଲୋକେ ରାଷ୍ଟ୍ରପତି ଭବନକୁ ଦଖଲ କରିନେଲେ ଏବଂ ବ୍ୟାପକ ଭଙ୍ଗାରୁଜା କଲେ ତାହା ଅତ୍ୟନ୍ତ ଯୋଜନାବଦ୍ଧ ଥିଲା ଏବଂ ଦେଶର ସବୁ ଅଞ୍ଚଳରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକ କଲମ୍ବୋ ପହଞ୍ଚିଥିଲେ। ରାଷ୍ଟ୍ରପତି ଏବେ ନୌସେନା ତତ୍ତ୍ବାବଧାନରେ କୌଣସି ସୁରକ୍ଷିତ ସ୍ଥାନରେ ଥିବା କୁହାଯାଉଥିବା ବେଳେ ସରକାରୀ ଭାବେ ଏ ନେଇ କୌଣସି ବୟାନ ଦିଆଯାଇନାହିଁ। ବିକ୍ରମସିଂଘେଙ୍କ ଘରୋଇ ବାସଭବନ ନିକଟରେ ଆଜି ସୁରକ୍ଷା କର୍ମୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି। କର୍ଫ୍ୟୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ କୌଣସି ଅଞ୍ଚଳରେ ଲୋକେ ଏହାକୁ ଭୃକ୍ଷେପ କରୁନାହାନ୍ତି ଏବଂ ରାଜନେତାଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି।

ବିକ୍ଷୋଭରେ ସାମିଲ ହେଲେ ସନତ ଜୟସୁରିୟା
କଲମ୍ବୋ: ଶ୍ରୀଲଙ୍କାରେ ସରକାରୀ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଛି। ଏକ ନୂଆ ଶାସନ ବ୍ୟବସ୍ଥା ଦାବି କରି ବ୍ୟାପକ ହିଂସା ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ ଆନ୍ଦୋଳନକାରୀ ନିଜ ଦଖଲକୁ ନେଇଛନ୍ତି। ଏ ପରିସ୍ଥିତିରେ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ ସନତ ଜୟସୁରିୟା ଆଜି କଲମ୍ବୋରେ ହୋଇଥିବା ବିକ୍ଷୋଭରେ ସାମିଲ ହୋଇଛନ୍ତି। ଜୟସୁରିୟା କହିଛନ୍ତି, ବିଫଳ ନେତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ସାରା ଦେଶ ଏପରି ଭାବେ ଏକାଠି ହେବା ସେ ଆଗରୁ କେବେ ଦେଖିନାହାନ୍ତି। ତେଣୁ ସେ ମଧ୍ୟ ପ୍ରତିବାଦକାରୀଙ୍କ ସହ ସାମିଲ ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ଜନତାଙ୍କର ଜୟ ହେବ ଏବଂ ମୁଁ ଜନତାଙ୍କ ସହ ରହିଛି ବୋଲି ପୂର୍ବତନ କ୍ରିକେଟର କହିଛନ୍ତି। ଗୋଟାବାୟାଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରି ଜୟସୁରିଆ ଲେଖିଛନ୍ତି- ‘ ଆପଣଙ୍କ ଗଡ଼ ଗଡ଼ିଛି। ଜନଶକ୍ତିର ବିଜୟ ହୋଇଛି। ’

ସମ୍ବନ୍ଧିତ ଖବର