ଦେଶର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଏୟାରଲାଇନ୍ ବିକ୍ରି କରିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଲାଗିପଡ଼ିଛନ୍ତି ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ। ଦେବାଳିଆ ହୋଇଯାଇଥିବା ଶ୍ରୀଲଙ୍କାର ଅଣ୍ଟାକୁ ପୁଣି ଥରେ ସଲଖିବା ପାଇଁ ଜାତୀୟ ଏୟାରଲାଇନ୍ ବିକ୍ରି କରିବାକୁ ଯାଉଛନ୍ତି ବିକ୍ରମସିଂଘେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ଏୟାରଲାଇନ୍ ବିକ୍ରି ସହ ବିକ୍ରମସିଂଘେ ଦରମା ଦେବା ପାଇଁ ଅଧିକାରୀମାନଙ୍କୁ ଟଙ୍କା ଛାପିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି।

ଆର୍ଥିକ ତଥା ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଛନ୍ତି ଯେ, ସେ ଶ୍ରୀଲଙ୍କାର ରାଷ୍ଟ୍ରାୟତ୍ତ ବିମାନ ସେବା ବିମାନର ଘରୋଇକରଣ ପାଇଁ ପ୍ରସ୍ତାବ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପରେ ଦେଶକୁ ଦେଇଥିବା ତାଙ୍କର ପ୍ରଥମ ଅଭିଭାଷଣରେ ବିକ୍ରମସିଂଘେ କହିଥିଲେ ଯେ ମୁଁ କ୍ଷତିରେ ଚାଲୁଥିବା ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ କରିବାକୁ ପ୍ରସ୍ତାବ ଦେବି।

ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏମିରେଟ୍ସକୁ ଶ୍ରୀଲଙ୍କା ଏୟାରଲାଇନ୍ସର ପରିଚାଳନା ଅଂଶଧନକାରୀ ଭାବେ ହଟାଇବା ପରେ ଶ୍ରୀଲଙ୍କା ଏୟାରଲାଇନ୍ସ ବହୁ କ୍ଷତି ସହିଥିଲା। ଏବେ ଶ୍ରୀଲଙ୍କାର ଅର୍ଥନୀତି ବିଗିଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଶ୍ରୀଲଙ୍କାରେ ୫ ଥର ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ ବିକ୍ରମସିଂଘେ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ଦିନ ଶପଥ ନେଇଥିଲେ। ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ତାଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ। ଶ୍ରୀଲଙ୍କା ସଂସଦରେ ବିକ୍ରମସିଂଘେଙ୍କ ଦଳର ମାତ୍ର ଗୋଟିଏ ଆସନ ଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି।

ସମ୍ବନ୍ଧିତ ଖବର