କଲମ୍ବୋ: ଚୀନ୍ର ଜିୟାନଜିନ୍ ବନ୍ଦରରୁ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରକୁ ଆସୁଥିବା ବିଶାଳ ସର୍ବେକ୍ଷଣ ଜାହାଜକୁ ନେଇ ଭାରତ ସରକାର ଚିନ୍ତାରେ ଥିଲେ। ଏକ ଚୀନ କମ୍ପାନି ଦ୍ବାରା ପରିଚାଳିତ ହମ୍ବନତୋଟା ବନ୍ଦରକୁ ଆସୁଥିବା ଉକ୍ତ ଜାହାଜଟି ପ୍ରକୃତରେ ଏକ ଗୁପ୍ତଚର ଜାହାଜ ବୋଲି ଆଶଙ୍କା କରାଯାଉଛି। ଏ ନେଇ ଭାରତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜାହାଜର ଶ୍ରୀଲଙ୍କା ଆଗମନ ଅନୁମତି ରଦ୍ଦ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲା । ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାହାଜର ଆଗମନ ଉପରେ ରୋକ ଲଗାଇଛି ଶ୍ରୀଲଙ୍କା। ଭାରତ ପକ୍ଷରୁ ପ୍ରବଳ ଚାପ ପରେ ଶ୍ରୀଲଙ୍କା ଚୀନ୍ର ଏକ ବିଶାଳ ଗବେଷଣା ଓ ସର୍ବେକ୍ଷଣ ଜାହାଜର ଯାତ୍ରାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଳମ୍ବ କରିବାକୁ ଚୀନକୁ ଅନୁରୋଧ କରିଛି।
କୁହାଯାଉଥିଲା ଯେ, ଆସନ୍ତା ଅଗଷ୍ଟ ୧୧ରେ ଦକ୍ଷିଣ ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ଚୀନ୍ର ଏକ ବିଶାାଳ ଗବେଷଣା ଓ ସର୍ବେକ୍ଷଣ ଜାହାଜ ପହଞ୍ଚିବ। ଏ ଖବର ପାଇ ଭାରତ ଚିନ୍ତା ପ୍ରକଟ କରିଥିବା ବେଳେ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର କର୍ଣ୍ଣେଲ୍ ନଳିନ ହେରାଥ କହିଥିଲେ, ଶ୍ରୀଲଙ୍କା ଭାରତର ଚିନ୍ତାକୁ ବୁଝିପାରୁଛି କିନ୍ତୁ ଏହା ଏକ ରୁଟିନ କାର୍ଯ୍ୟକ୍ରମ। ଭାରତ, ଚୀନ୍, ରୁଷ, ଜାପାନ, ମାଲେସିଆର ଜାହାଜଗୁଡ଼ିକ ପାଇଁ ବିଭିନ୍ନ ସମୟରେ ଅନୁରୋଧ କରାଯାଇଥାଏ। ତେଣୁ ଆମେ ଚୀନ୍କୁ ଅନୁମତି ଦେଇଛୁ। କେବଳ ପରମାଣୁ ଶକ୍ତି ସମ୍ପନ୍ନ ଜାହାଜକୁ ଆମେ ଅନୁମତି ଦେଇ ନଥାଉ। ଚୀନ୍ ଜାହାଜ ଉଆନ ୱାଙ୍ଗ ୫ ହମ୍ବନତୋଟା ବନ୍ଦରରେ ଲାଗିବାପାଇଁ ଶ୍ରୀଲଙ୍କାଠାରୁ ଅନୁମତି ମାଗିଥିଲା। ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଚୀନ୍ ଜାହାଜ ଶ୍ରୀଲଙ୍କା ବନ୍ଦରରେ ରହିବ। ଭାରତ ମହାସାଗରରେ ସର୍ଭେଲାନ୍ସ ଏବଂ ଦିଗ ନିରୂପଣ ପାଇଁ ଚୀନ୍ ଏହି ଜାହାଜ ପଠାଇଛି ବୋଲି ହେରାଥ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-51.jpg)