କଲମ୍ବୋ ବିସ୍ଫୋରଣ: ୩୦ ବିଦେଶୀ ମୃତକଙ୍କ ଭିତରେ ୬ ଭାରତୀୟ, ୨୪ ସଂଦିଗ୍ଧ ଗିରଫ, ହଟିଲା କର୍ଫ୍ୟୁ

କଲମ୍ବୋ: ଗତକାଲି ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ଘଟିଥିବା ୮ ସିରିଜ୍‌ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦ରେ ପହଞ୍ଚିଥିବା ବେଳେ ୪୫୦ରୁ ଊର୍ଧ୍ୱ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରାୟଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ମଧରେ ୩୦ ଜଣ ବିଦେଶୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୬ ଜଣ ହେଉଛନ୍ତି ଭାରତୀୟ ନାଗରିକ। ଭାରତୀୟଙ୍କ ବ୍ୟତୀତ ଏଥିରେ ପର୍ତ୍ତୁଗାର୍ଲ, ତୁର୍କୀ, ଇଂଲଣ୍ଡ, ଆମେରିକାର ନାଗରିକ ବି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ଆହତଙ୍କ ମଧ୍ୟରେ ମଧ୍ୟ ୧୯ ଜଣ ବିଦେଶୀ ଅଛନ୍ତି ବୋଲି ସୂଚନା ରହିଛି। ଏପର୍ଯ୍ୟନ୍ତ ଆହୁରି ୯ ଜଣ ନିଖୋଜ ଅଛନ୍ତି। ବିସ୍ଫୋରଣ ଘଟାଇଥିବା ସନ୍ଦେହରେ ଏବେ ସୁଦ୍ଧା ୨୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି।

ଗତକାଲି ଘଟିଥିବା ଏହି ବିସ୍ଫୋରଣଟିକୁ ବୃହତ୍‌ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ଦୁଇଟି ଗିର୍ଜୀ ଓ ୩ଟି ପଞ୍ଚ ତାରିକା ହୋଟେଲ୍‌ରେ ହୋଇଥିବା ଏହି ବିସ୍ଫୋରଣ ପୂର୍ବରୁ ଶ୍ରୀଲଙ୍କା ପୁଲିସ୍‌ ସତର୍କ ସୂଚନା ଦେଇ କିଛି ଦିନ ମଧ୍ୟରେ ଏକ ଆତ୍ମଘାତୀ ଆକ୍ରମଣର ଆଶଙ୍କା ପ୍ରକଟ କରିଥିଲା।

(Reuters Photo)

ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ସକ୍ରିୟ ରହି ବିସ୍ଫୋରଣରେ ପ୍ରଭାବିତ ହୋଇଥିବା ଭାରତୀୟଙ୍କ ସଂପର୍କରେ ଟିକିନିକ୍‌ ଖବର ଦେଉଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସୂଚନା ଦେଇଛନ୍ତି।

ତେବେ, ରବିବାର ହୋଇଥିବା ଏହି ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀଙ୍କୁ ସନ୍ଦେହ କରାଯାଇ ନାହିଁ। ବିସ୍ଫୋରଣ ପରେ ଶ୍ରୀଲଙ୍କା ସରକାର ସଂପୃକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରିବା ସହ ମୋବାଇଲ୍‌ ଓ ମେସେଜିଂ ସେବାକୁ ବନ୍ଦ କରି ଦେଇଥିଲେ। ସୋମବାର ସକାଳୁ ଜାରି ହୋଇଥିବା କର୍ଫ୍ୟୁକୁ ଉଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର