ପୁଣି ଶ୍ରୀଲଙ୍କାର ଉତ୍ଥାନ ହେବ: ଇଷ୍ଟର୍‌ ବୋମା ବିସ୍ଫୋରଣ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୁଁ ନିଶ୍ଚିତ ଯେ ପୁଣି ଶ୍ରୀଲଙ୍କାର ଉତ୍ଥାନ ହେବ। ଆତଙ୍କର କାପୁରଷ କାର୍ଯ୍ୟ ଶ୍ରୀଲଙ୍କାର ଉଚ୍ଛ୍ୱାସକୁ ପରାସ୍ତ କରି ପାରିବ ନାହିଁ। ଶ୍ରୀଲଙ୍କାବାସୀଙ୍କ ଦୁଃଖଦ ପରିସ୍ଥିତିରେ ଭାରତ ଛିଡ଼ା ହୋଇଛି ବୋଲି ରବିବାର ସକାଳେ ଶ୍ରୀଲଙ୍କାରେ ପହଞ୍ଚିବା ପରେ ସନ୍ଥ ଅନ୍ଥୋନୀ ଗୀର୍ଜାକୁ ଯାଇ ଇଷ୍ଟର୍‌ ବୋମା ବିସ୍ଫୋରଣ ଘଟଣାରେ ନିହତ ହୋଇଥିବା ପୀଡ଼ିତମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି।

୨୫୦ ଜଣରୁ ଊର୍ଦ୍ଧ୍ୱ ନିହତ ହୋଇଥିବା ଇଷ୍ଟର୍‌ ବୋମା ବିସ୍ଫୋରଣ ଘଟଣା ପରେ ଶ୍ରୀଲଙ୍କା ପରିଦର୍ଶନରେ ଯାଇଥିବା ପ୍ରଥମ ବିଦେଶୀ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

କଲମ୍ବୋର ବନ୍ଦରନାଇକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶ୍ରୀଲଙ୍କୀୟ ପ୍ରତିପକ୍ଷ ରନୀଳ ବିକ୍ରମେସିଂହେ ତାଙ୍କୁ ପାଛୋଟି ନେଇଥିଲେ।

ସେଠାରେ ପହଞ୍ଚିବା ପରେ ପରେ ମୋଦୀ ଟୁଇଟ୍‌ କରିଥିଲେ: ଶ୍ରୀଲଙ୍କାକୁ ଆସି ଆନନ୍ଦିତ, ଚାରି ବର୍ଷ ମଧ୍ୟରେ ଏଇ ସୁନ୍ଦର ଦ୍ୱୀପକୁ ମୋର ତୃତୀୟ ଆଗମନ। ଶ୍ରୀଲଙ୍କାବାସୀଙ୍କ ବନ୍ଧୁତା ମୁଁ ସମଭାବରେ ବାଣ୍ଟୁଛି। ବିପତ୍ତି କାଳରେ ଭାରତ ତା’ର ବନ୍ଧୁମାନଙ୍କୁ କଦାପି ଭୁଲି ଯାଏ ନାହିଁ। ଭବ୍ୟ ସ୍ୱାଗତରେ ମୁଁ ବିଭୋର ହୋଇ ଯାଇଛି।

ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା, ପ୍ରଧାନମନ୍ତ୍ରୀ ବିକ୍ରମେସିଂହେ ଏବଂ ବିରୋଧୀ ଦଳର ନେତା ମହିନ୍ଦ ରାଜପକ୍ଷଙ୍କ ସହ ଆଲୋଚନା କରିବେ। ଦି ତାମିଲ୍‌ ନେସ୍‌ନାଲ୍‌ ଆଲିଏନ୍‌ସ୍‌ ନାମକ ଏକ ତାମିଲ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର