ନୂଆଦିଲ୍ଲୀ: ମାଲଦ୍ୱୀପ ପରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଗୋଟବାୟା ରାଜପକ୍ଷେ। ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ଜରିଆରେ ପଠାଇଛନ୍ତି।
ଅନ୍ୟପକ୍ଷରେ ତାଙ୍କ ଗସ୍ତକୁ ନେଇ ବର୍ତ୍ତମାନ ସିଙ୍ଗାପୁର ପକ୍ଷରୁ ଏକ ବଡ ପ୍ରତିକ୍ରିୟା ଦିଆଯାଇଛି। ସିଙ୍ଗାପୁର ଏକ ବିବୃତି ଜାରି କରି କହିଛି ଯେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ବ୍ୟକ୍ତିଗତ ଗସ୍ତରେ ସିଙ୍ଗାପୁରରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ସିଙ୍ଗାପୁରରେ ଆଶ୍ରୟ ଦିଆଯାଇନାହିଁ।
ସିଙ୍ଗାପୁର ପକ୍ଷରୁ କୁହାଯାଇଛି ଯେ, ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବିମାନ ଆଜି ଅପରାହ୍ନରେ ସିଙ୍ଗାପୁରରେ ପହଞ୍ଚିଛି। ବ୍ୟକ୍ତିଗତ ଗସ୍ତ ପାଇଁ ସିଙ୍ଗାପୁରରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବିମାନକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ସିଙ୍ଗାପୁରରେ ଆଶ୍ରୟ ନେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏନେଇ ସ୍ପଷ୍ଟ କରିଛି ସିଙ୍ଗାପୁର।
ଏହା ପୂର୍ବରୁ ‘ଦି ଆସୋସିଏଟ୍ ପ୍ରେସ୍’କୁ ମାଳଦ୍ବୀପର ଜଣେ ସରକାରୀ ଅଧିକାରୀ କହିଥିଲେ ଯେ, ଆଜି ୭୩ ବର୍ଷିୟ ନେତା ରାଜପକ୍ଷେ ଗୋଟାଏ ସାଉଦୀ ଏୟାର୍ଲାଇନ୍ସ୍ର ‘ଏସ୍ଭି ୭୮୮’ ବିମାନ ଆରୋହଣ କରିଛନ୍ତି। ସେ ବିମାନ ତାଙ୍କୁ ସିଙ୍ଗାପୁର ନେଇ ସେଠାରୁ ସାଉଦୀ ଆରବର ଜେଦାହ୍କୁ ନେଇଯିବ।
ଆଜି ଶ୍ରୀଲଙ୍କାର ବାଚସ୍ପତି ମହିନ୍ଦା ୟାପା ଅବେବର୍ଦେନା ମଧ୍ୟ ଗୋଟାବାୟା ରାଜପକ୍ଷେଙ୍କୁ ସୂଚନା ଦେଇଥିଲେ ଯେ, ଯଥାଶୀଘ୍ର ସମ୍ଭବ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରନ୍ତୁ ନଚେତ ତାଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ସେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/ସ-137.jpg)