ଆଜି ରାତିରେ ସିଂଗାପୁର ପଳାଇଯାଇପାରନ୍ତି ଗୋଟାବାୟା

କଲମ୍ବୋ :  ମାଳଦ୍ବୀପ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ରାତିରେ ହିଁ ସିଂଗାପୁର ପଳାଇଯିବାର ସମ୍ଭାବନା ରହିଛି ବୋଲି ଶ୍ରୀଲଙ୍କା ସମ୍ବାଦପତ୍ର ଡେଲି ମିରର କହିଛି ।

ତେବେ ଗୋଟାବାୟାଙ୍କ ପଳାୟନ କରିବାରେ ଭାରତ ସରକାର ସହାୟତା କରିଛନ୍ତି ବୋଲି ଶ୍ରୀଲଙ୍କାର କେତେକ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଭାରତ ସରକାର ଖଣ୍ଡନ କରିଛନ୍ତି । ଏପରି ଖବରରେ କୌଣସି ସତ୍ୟତା ନାହିଁ ବୋଲି ଶ୍ରୀଲଙ୍କାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ଗୋଟାବାୟା ନିଜର ଇସ୍ତଫା ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଚ୍ରପତି ନିଯୁକ୍ତ କରାଯାଇଥିଲା ।

ଅନ୍ୟପକ୍ଷରେ ଦେଶରେ ତୁରନ୍ତ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ରାନିଲ ଶ୍ରୀଲଙ୍କା ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଶୃଙ୍ଖ​ଳା ରକ୍ଷା କରିବାକୁ ଯାହା ଆବଶ୍ୟକ ତାହା କରିବାକୁ ସେ କହିଛନ୍ତି । ଟେଲିଭିଜନ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଉପଦ୍ରବକାରୀମାନେ ତାଙ୍କୁ ତାଙ୍କ ଦାୟିତ୍ବ ନିର୍ବାହ କରିବାକୁ ଦେଉନାହାନ୍ତି । ଫାସିବାଦୀମାନେ ଦେଶକୁ ଅଧିକାର କରନ୍ତୁ ବୋଲି ସେ ଚାହୁଁ ନାହାନ୍ତି ।

କଲମ୍ବୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଥିବା ଆମେରିକୀୟ ଦୂତାବାସ ନିଜର ସମସ୍ତ ସେବାକୁ ବନ୍ଦ କରିଦେଇଛି ।

ଗତ ସପ୍ତାହରେ ଉଗ୍ର ଜନତା ରାଷ୍ଟ୍ରପତି ଗୋଟାବାୟାଙ୍କ ବାସଭବନରେ ପଶି ଭଙ୍ଗାରୁଜା କରିଥିଲେ । ଏହା ପୂର୍ବରୁ ଗୋଟାବାୟା ଫେରାର ହୋଇଯାଇଥିଲେ । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରମସିଂଘେଙ୍କ ସରକାର ବାସଭବନରେ ନିଆଁ ଲଗାଇଦେଇଥିଲେ ।

ସମ୍ବନ୍ଧିତ ଖବର