ଗୋଟାବାୟାଙ୍କୁ ନେଇ ମାଳଦ୍ବୀପରେ ବିବାଦ, ତାଙ୍କୁ ଶ୍ରୀଲଙ୍କା ଫେରାଇଦେବାକୁ ଦାବି

ମାଲେ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆନୁଷ୍ଠାନିକ ଭାବେ ଇସ୍ତଫା ନ ଦେଇ ମାଳଦ୍ବୀପ ଫେରାର ହୋଇଯାଇଥିବାବେଳେ ଆଜି ରାତିରେ ସେ ସେଠାରୁ ସିଂଗାପୁର ପଳାଇଯିବାର ସମ୍ଭାବନା ରହିଛି । ତେବେ ତାଙ୍କୁ ନେଇ ମାଳଦ୍ବୀପରେ ରାଜନୀତି ଆରମ୍ଭ ହୋଇଯାଇଛି । ମାଳଦ୍ବୀପ ସରକାର ତାଙ୍କୁ ଆଶ୍ରୟ ଦେଇଥିବାରୁ ସେଠାକାର ବିରୋଧୀ ଦଳ ମାଲଡାଭିସ ନ୍ୟାସନାଲ ପାର୍ଟି ( ଏମଏନପି) ପକ୍ଷରୁ ବିରୋଧ କରାଯାଇଛି ।  ଏମଏନପି ନେତା ତଥା ପୂର୍ବତନ ବିଦେଶ ମନ୍ତ୍ରୀ ଦୁନ୍ୟା ମାଉମୁନ କହିଛନ୍ତି ଯେ ମାଳଦ୍ବୀପ ସରକାର ଶ୍ରୀଲଙ୍କାବାସୀଙ୍କ ଭାବାବେଗକୁ ସମ୍ମାନ ନଦେବା ବେଶ ଦୁଃଖର ବିଷୟ । ଏପ୍ରସଙ୍ଗରେ ସରକାରଙ୍କଠାରୁ ସେ ଏକ ସ୍ପଷ୍ଟୀକରଣ ମାଗିଛନ୍ତି ।

ଅନ୍ୟପକ୍ଷରେ ମାଳଦ୍ବୀପରେ ଥିବା ଶ୍ରୀଲଙ୍କା ନାଗରିକମାନେ ଗୋଟାବାୟାଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି । ବିକ୍ଷୋଭକାରୀମାନେ ଗୋଟାବାୟାଙ୍କୁ ପୁଣି ଶ୍ରୀଲଙ୍କା ପଠାଇଦିଆଯାଉ ବୋଲି ଦାବି କରିଛନ୍ତି ।

ଏହା ପୂର୍ବରୁ ଗୋଟାବାୟା ନିଜର ଇସ୍ତଫା ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାମଚଳା ରାଷ୍ଚ୍ରପତି ନିଯୁକ୍ତ କରାଯାଇଥିଲା । କିନ୍ତୁ ସେ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇନଥିବାରୁ ଶ୍ରୀଲଙ୍କାର ବିରୋଧୀ ଦଳମାନେ ତାହାର ବିରୋଧ କରିଛନ୍ତି ।

ଅନ୍ୟପକ୍ଷରେ ଦେଶରେ  ଆଇନ ଶୃଙ୍ଖଳା ରକ୍ଷା କରିବାକୁ  ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କା ସେନା ଓ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଶୃଙ୍ଖ​ଳା ରକ୍ଷା କରିବାକୁ ଯାହା ଆବଶ୍ୟକ ତାହା କରିବାକୁ ସେ କହିଛନ୍ତି ।

 

ସମ୍ବନ୍ଧିତ ଖବର