କଲମ୍ବୋ: ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶର ନୂତନ ଅର୍ଥମନ୍ତ୍ରୀ ରୂପେ ସୋମବାର ନିଯୁକ୍ତି ପାଇଥିବା ଅଲ୍ଲୀ ସାବ୍ରି ଆଜି (ମଙ୍ଗଳବାର) ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପୂର୍ବରୁ ଦେଶର ଅର୍ଥମନ୍ତ୍ରୀ ଥିବା ତାଙ୍କ ଭାଇ ବାସିଲ ରାଜପାକ୍ଷେଙ୍କୁ ବରଖାସ୍ତ କରିବା ପରେ ସୋମବାର ଅଲ୍ଲୀ ସାବ୍ରିଙ୍କୁ ଦେଶର ନୂତନ ଅର୍ଥମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ। ତେବେ, ତାଙ୍କୁ ନିଯୁକ୍ତ କରିବାର ଗୋଟିଏ ଦିନ ପରେ ଶ୍ରୀଲଙ୍କାର ନୂତନ ଅର୍ଥମନ୍ତ୍ରୀ ଅଲି ସାବ୍ରି ଆଜି (ମଙ୍ଗଳବାର) ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ରାଷ୍ଟ୍ରପତି ରାଜପାକ୍ଷେଙ୍କୁ ଲେଖିଥିବା ଏକ ଚିଠିରେ ସାବ୍ରି କହିଛନ୍ତି ଯେ ସେ ଏକ ଅସ୍ଥାୟୀ ପଦକ୍ଷେପର ଅଂଶ ଭାବରେ ଏହି କାର୍ଯ୍ୟ ଭାର ଗ୍ରହଣ କରିଥିଲେ। ସାବ୍ରି ଚିଠିରେ କହିଛନ୍ତି, ତଥାପି, ବହୁ ପ୍ରତିଫଳନ ଏବଂ ବିଚାର ବିମର୍ଶ ପରେ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ବିଚାରକୁ ନେବା ପରେ, ସଂପ୍ରତି ଦେଶରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆଥିକ ସଙ୍କଟର ସମାଧାନ ଓ ମୁକାବିଲା କରିବା ପାଇଁ ଉପଯୁକ୍ତ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା କରିବା ପାଇଁ ଆପଣଙ୍କୁ ମୁଁ ବର୍ତ୍ତମାନ ମତ ଦେଉଛି ଏବଂ ଜଣେ ନୂତନ ଅର୍ଥମନ୍ତ୍ରୀ ନିଯୁକ୍ତି ସମେତ ଏ କ୍ଷେତ୍ରରେ ଏକ ଅଣ ପାରମ୍ପାରିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ମୁଁ ଅନୁଭବ କରୁଛି ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
ସୋମବାର ରାଷ୍ଟ୍ରପତି ରାଜପାକ୍ଷେଙ୍କ ଦ୍ୱାରା ନିଯୁକ୍ତ ଚାରି ଜଣ ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଅଲ୍ଲୀ ସାବ୍ରି ଥିଲେ ଅନ୍ୟତମ।
ଶ୍ରୀଲଙ୍କା ବର୍ତ୍ତମାନ ଇତିହାସରେ ଏହାର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଦେଶରେ ଇନ୍ଧନ, ରୋଷେଇ ଗ୍ୟାସ, ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଥିବା ବେଳେ ଦୀର୍ଘ ଘଣ୍ଟା ବିଦ୍ୟୁତକାଟ ସହ ହାହାକାର ମଧ୍ୟରେ ଜନସାଧାରଣ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି।