ରାମ ଜନ୍ମଭୂମି – ବାବ୍ରୀ ମସଜିଦ୍ ଜମି ବିବାଦର ସମାଧାନ ପାଇଁ ତିନିଜଣିଆ ମଧ୍ୟସ୍ଥିଙ୍କ ପ୍ୟାନେଲ ଗଠନ କଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମି – ବାବ୍ରୀ ମସଜିଦ୍ ବିବାଦର ସମାଧାନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦର ସମାଧାନ ପ୍ରକ୍ରିୟାରେ ମଧ୍ୟସ୍ଥତା ପ୍ରସଙ୍ଗରେ ନିଜର ଶୁଣାଣି କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗର ସମାଧାନ ଲାଗି ଏକ ତିନି ଜଣ ମଧ୍ୟସ୍ଥିଙ୍କୁ ନେଇ ଏକ ପ୍ୟାନେଲ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷତା କରିବେ ଜଷ୍ଟିସ୍‌ ଖଲି ଫୁଲ୍ଲାହ। ଏହି ମଧ୍ୟସ୍ଥି ମଣ୍ଡଳୀରେ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ଶ୍ରୀରାମ ପଞ୍ଚୁଙ୍କୁ ମଧ୍ୟ ସାମିଲ କରାଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବ ଶୁଣାଣିରେ କହିଥିଲେ ଯେ ୭୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ବିବାଦର ସମାଧାନ ଲାଗି ସୂତ୍ର ମଧ୍ୟସ୍ଥି ମଣ୍ଡଳୀ ୮ ସପ୍ତାହ ମଧ୍ୟରେ ଚୁଡାନ୍ତ ରିପୋର୍ଟ ପ୍ରଦାନ କରିବେ। ନ୍ୟାୟାଳୟ କହିଛନ୍ତି ଯେ ଏହା କେବଳ ଜମିଜମା ମାମଲା ନୁହେଁ,ବରଂ ଲୋକମାନଙ୍କ ଧାର୍ମିକ ଭାବନା ସହିତ ଜଡିତ।

ସୂଚନା ଯୋଗ୍ୟ କି, ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହୀ ଆଖଡ଼ା, ସୁନ୍ନି ସେଣ୍ଟ୍ରାଲ୍ ଓ୍ୱାକଫ୍ ବୋର୍ଡ ଏବଂ ରାମଲାଲା ବିରାଜମାନ  ମଧ୍ୟରେ ତିନି ଭାଗରେ ବାଣ୍ଟିଦେବା ପାଇଁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା। ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ପାଞ୍ଚଜଣିଆ ଖଣ୍ଡପୀଠ ବୁଧବାର ବିଭିନ୍ନ ପକ୍ଷର ଶୁଣାଣି କରିଥିବା ବେଳେ ରାୟକୁ ସଂରକ୍ଷିତ ରଖିଥିଲେ।

ସମ୍ବନ୍ଧିତ ଖବର