ରହସ୍ୟ ଘେରରେ ମୃତ୍ୟୁ

ରିପୋର୍ଟ କହୁଛି, ପାଣି ଟବ୍‌ରେ ପଡ଼ି ମୃତ୍ୟୁ
ରକ୍ତ ନମୁନାରେ ଆଲ୍‌କୋହଲ୍‌!
ହୃଦ୍‌ଘାତ ନେଇ ରିପୋର୍ଟ ନିରବ
କାହିଁକି ଅଚେତ ହେଲେ, କେମିତି ପଡ଼ିଲେ?

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ଏବେ ରହସ୍ୟାବୃତ୍ତ ହେବାକୁ ଲାଗିଛି। ତାଙ୍କ ମୃତ୍ୟୁ ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ହୋଇଛି ବୋଲି ଫରେନ୍‌ସିକ ରିପୋର୍ଟରୁ ଜଣାପଡ଼ିଛି। ତେବେ ସେ ରହୁଥିବା ହୋଟେଲ୍‌ ବାଥ୍‌ଟବ୍‌ରେ କେମିତି ବୁଡ଼ିଲେ ଏବଂ ତାଙ୍କୁ ହୃଦ୍‌ଘାତ ହୋଇଥିଲା କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ। ଏହାକୁ ନେଇ ପୁଲିସର ଖୋଳତାଡ଼ ଚାଲିଥିବାରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ପାରିନାହିଁ।

ଖଲିଜ ଟାଇମ୍ସ ରିପୋର୍ଟ ମୁତାବକ ୨୪ ତାରିଖ ମଧ୍ୟରାତ୍ରରେ ଦୁବାଇ ସ୍ଥିତ ଜୁମୈରା ଏମିରେଟ୍‌ସ ଟାଓ୍ଵାର ହୋଟେଲ୍‌ ବାଥ୍‌ରୁମ୍‌ରେ ଶ୍ରୀଦେବୀ ଅଚେତ ହୋଇ ବାଥ୍‌ ଟବ୍‌ରେ ପଡ଼ିଯାଇଥିଲେ। ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିଛି। ସଂଯୁକ୍ତ ଆରବ ଏମିରେଟ୍‌ସ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସୋମବାର ତଥ୍ୟ ପ୍ରକାଶ କରିଛି। ତେବେ ଗଲ୍‌ଫ ନ୍ୟୁଜ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉକ୍ତ ଅଘଟଣ ବେଳେ ଶ୍ରୀଦେବୀ ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଇଛି। ଫଳରେ ସେ ହୋଟେଲ୍‌ ପ୍ରକୋଷ୍ଠର ଗାଧୁଆ ଘରକୁ ଯିବା ବେଳେ ଭାରସାମ୍ୟ ରଖିପାରିନଥିଲେ ଏବଂ ବାଥଟବ୍‌ରେ ଖସିପଡ଼ି ପାଣିରେ ବୁଡ଼ି ଯାଇଥିଲେ। କିନ୍ତୁ ଏସଂପର୍କରେ ସରକାରୀ ଭାବେ କିଛି କୁହାଯାଉ ନାହିଁ।

ଫରେନସିକ୍‌ ରିପୋର୍ଟ ମିଳିବା ପରେ ଶ୍ରୀଦେବୀଙ୍କ ମୃତ୍ୟୁ ଏବେ ରହସ୍ୟଜନକ ହୋଇପଡ଼ିଛି। କାରଣ ତାଙ୍କ ପରିବାର ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ପରିବାରର ଜଣେ ସଭ୍ୟ ଏଥିରେ ଏକମତ ହୋଇ ନଥିଲେ। ସେ କହିଥିଲେ ଯେ ଶ୍ରୀଦେବୀ ଏହି ରୋଗରେ କେବେହେଲେ ଆକ୍ରାନ୍ତ ନଥିଲେ। ଏନେଇ ଗଣମାଧ୍ୟମରେ ଦୁଇ ପ୍ରକାର ରିପୋର୍ଟ ଆସୁଛି। ଗୋଟିଏ ରିପୋର୍ଟରେ କୁହାଯାଉଛି ଯେ ଶ୍ରୀଦେବୀ ବାଥ୍‌ଟବ୍‌ରେ ବୁଡ଼ିଯାଇଥିଲେ ଏବଂ ତାଙ୍କ ସ୍ୱାମୀ ବୋନି କପୁର ବାଥ୍‌ରୁମ୍‌ କବାଟ ଭାଙ୍ଗି ଉଦ୍ଧାର କରିଥିଲେ। ସେତେବେଳେ ଶ୍ରୀଦେବୀଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା। ତେବେ ଆଉ ଗୋଟିଏ ରିପୋର୍ଟ କହୁଛି ଯେ ହୋଟେଲ ଗାଧୁଆ ଘରେ ଶ୍ରୀଦେବୀ ଅଚେତ ହୋଇପଡ଼ିଥିବା ପ୍ରଥମେ ଜଣେ କର୍ମଚାରୀ ଦେଖିଥିଲେ।

ସମଗ୍ର ଘଟଣା ରହସ୍ୟ ଭିତରକୁ ଯାଉଥିବାରୁ ଦୁବାଇ ପୁଲିସ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଛି। ଶ୍ରୀଦେବୀଙ୍କୁ ହୋଟେଲରେ କିଏ ଭେଟିଥିଲେ ଏବଂ ତାଙ୍କର ଫୋନ କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି।

ଏହି ମାମଲା ଦୁବାଇ କୋର୍ଟକୁ ଯାଇଛି। ତେବେ ଅଦାଲତଙ୍କ ଚୂଡ଼ାନ୍ତ ଶୁଣାଣି ପରେ ପୁଲିସ୍‌ ଶ୍ରୀଦେବୀଙ୍କ ମରଶରୀରକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିବ। ଅଦାଲତଙ୍କ ନିଷ୍ପତ୍ତି ଉପରେ ହିଁ ସବୁକିଛି ନିର୍ଭର କରୁଛି ବୋଲି ଦୁବାଇ ସ୍ଥିତ ଗଣମାଧ୍ୟମପକ୍ଷରୁ ଜଣାପଡ଼ିଛି। ସେପଟେ ଶ୍ରୀଦେବୀଙ୍କ ମୃତଦେହକୁ ଯଥାଶୀଘ୍ର ସମ୍ଭବ ଭାରତ ଆଣିବା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ଉପଚାର ସରିଛି ବୋଲି ଆଗରୁ ସାଉଦୀ ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂହ ସୁରୀ କହିଥିଲେ। ମାତ୍ର ଏହି ମାମଲା କୋର୍ଟକୁ ଯିବା ପରେ ମରଶରୀର ସ୍ୱଦେଶକୁ ଆସିବା ନେଇ ବିଳମ୍ବ ହେଉଛି। ଫରେନ୍ସିକ୍‌ ଯାଞ୍ଚ କିମ୍ବା ପୁଲିସ୍‌ର ତଦନ୍ତରେ କୋର୍ଟ ସନ୍ତୁଷ୍ଟ ନହେଲେ ପୁଣି ଯାଞ୍ଚ କରାଯିବ ଓ ତା’ ପରେ ଶବ ନେବାକୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ପୁଲିସ ଏବଂ ସରକାରୀ ଓକିଲ କ୍ଲିୟରାନ୍ସ ସାର୍ଟିଫିକେଟ ଦେବା ପରେ ପୁଲିସ ପକ୍ଷରୁ ମୃତ୍ୟୁ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏହା ମିଳିବା ପରେ ଭାରତୀୟ ଦୂତାବାସ ଶ୍ରୀଦେବୀଙ୍କ ପାସପୋର୍ଟ ବାତିଲ କରି ସାର୍ଟିଫିକେଟ ଦେବ। ସାର୍ଟିଫିକେଟ ମିଳିବା ପରେ ମରଶରୀର ଭାରତ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧିତ ଖବର