ଚିରନିଦ୍ରାରେ ‘ଚାନ୍ଦ୍‌ନୀ’

ଦୁବାଇରେ ଆଖି ବୁଜିଲେ ଶ୍ରୀଦେବୀ

ହୃଦ୍‌କ୍ରିୟା ବନ୍ଦ ଯୋଗୁଁ ପରଲୋକ
ଶୋକରେ ବୁଡ଼ିଲା ସିନେ ଜଗତ
ପୋଷ୍ଟମର୍ଟମ୍‌ ପରେ ଶବ ହସ୍ତାନ୍ତର
ଆଜି ମୁମ୍ବାଇରେ ହେବ ଶେଷକୃତ୍ୟ

ମୁମ୍ବାଇ : ବିଗତ ଦିନରେ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିକୁ ବହୁ ହିଟ୍‌ ସିନେମା ଦେଇଥିବା ‘ରୂପ କି ରାଣୀ’, ବଲିଉଡ୍‌ର ‘ଚାନ୍ଦ୍‌ନୀ’ ପଦ୍ମଶ୍ରୀ ଶ୍ରୀ ଆମ୍ମା ଆୟଙ୍ଗର ଓରଫ୍‌ ଶ୍ରୀଦେବୀ ଆଉ ନାହାନ୍ତି। ରବିବାର ଭୋର୍‌ରୁ ଏହି ଖବର ଭାରତୀୟ ସିନେପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଛି। ଦୁବାଇର ଏକ ତାରକା ହୋଟେଲରେ ଶନିବାର ରାତିରେ ହୃଦକ୍ରିୟା ବନ୍ଦ ହୋଇଯିବାରୁ ତାଙ୍କର ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଏହି ଖବର ବଲିଉଡ୍‌ ସମେତ ଦକ୍ଷିଣ ଭାରତୀୟ ସିନେ ଜଗତରେ ବି ଶୋକର ଛାୟା ଖେଳାଇ ଦେଇଛି। ଅନେକ କଳାକାର ଓ ସିନେପ୍ରେମୀ ପ୍ରଥମେ ଏହି ଖବରକୁ ଗୁଜବ ବୋଲି ଭାବିଥିଲେ ବି ପରେ ପ୍ରକୃତ କଥା ଜାଣିବା ପରେ ଶୋକାଭିଭୂତ ହୋଇପଡ଼ିଛନ୍ତି। ତାଙ୍କ ମୁମ୍ବାଇସ୍ଥିତ ବାସଭବନ ବାହାରେ ପ୍ରଶଂସକଙ୍କ ଭିଡ଼ ଜମିବାରେ ଲାଗିଛି। ତାଙ୍କ ଶେଷଦର୍ଶନ ଟିକେ ପାଇବାକୁ ବହୁ ଦୂରରୁ ଫ୍ୟାନ୍‌ମାନେ ଆସିବାରେ ଲାଗିଛନ୍ତି। ମରଶରୀରକୁ ଦୁବାଇରୁ ଆଣିବା ଲାଗି ମୁମ୍ବାଇରୁ ଏକ ସ୍ୱତନ୍ତ୍ର ଘରୋଇ ବିମାନ ସେଠାକୁ ପଠାଯାଇଛି।

ତେବେ ତାଙ୍କ ମୃତ୍ୟୁ ଡାକ୍ତରଖାନାରେ ନ ହୋଇ ହୋଟେଲରେ ହୋଇଥିବାରୁ ସେଠାକାର ଆଇନ ଅନୁସାରେ ବ୍ୟାପକ ତଦନ୍ତ କରାଯାଉଛି। ଆଜି ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି। ସୋମବାର ଦିନ ତାଙ୍କ ମରଶରୀର ମୁମ୍ବାଇରେ ପହଞ୍ଚିବା ଆଶା କରାଯାଉଛି।

ଅଶୀ ଓ ନବେ ଦଶକରେ ଶ୍ରୀଦେବୀ ଲଗାତାର ହିଟ୍‌ ସିନେମା ଦେବା ସହ ନିଜ ଲାଗି ସୁପରଷ୍ଟାର ମାନ୍ୟତା ଅର୍ଜନ କରିପାରିଥିଲେ। ମାତ୍ର ୪ ବର୍ଷ ବୟସରୁ ଅଭିନୟ ଜଗତରେ ପ୍ରବେଶ କରିଥିବା ଓ ଖୁବ୍‌ କମ୍‌ ବୟସରେ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ପ୍ରସିଦ୍ଧି ଅର୍ଜନ କରିଥିବା ଶ୍ରୀଦେବୀଙ୍କ ଅସାଧାରଣ ନୃତ୍ୟନୈପୁଣ୍ୟ ଓ ଲାସ୍ୟମୟ ଅଭିନୟ ତାଙ୍କୁ ବଲିଉଡ୍‌ରେ ବି ସୁପରହିଟ୍‌ ହିରୋଇନ୍‌ର ପରିଚିତି ଦେଇଥିଲା। ନିଜ ବୟସଠୁ ପ୍ରାୟ ୧୦ ବର୍ଷ ବଡ଼, ଦୁଇଟି ସନ୍ତାନର ଜନକ ବିଶିଷ୍ଟ ଫିଲ୍ମନିର୍ମାତା ବୋନି କପୁରଙ୍କୁ ସେ ବିବାହ କରିଥିଲେ। ତାଙ୍କର ଦୁଇ ଝିଅଙ୍କ ମଧ୍ୟରୁ ବଡ଼ ଝିଅ ଜାହ୍ନବୀଙ୍କ ପ୍ରଥମ ଫିଲ୍ମ ୫ ମାସ ପରେ ରିଲିଜ ହେବାର ଯୋଜନା ରହିଛି।

ଭଣଜା ତଥା ଅଭିନେତା ମୋହିତ ମାରଓ୍ଵାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ତିନି ଦିନ ତଳେ ସ୍ୱାମୀ ବୋନି କପୁର ଏବଂ ସାନ ଝିଅ ଖୁସି କପୁର ଓ ପରିବାରର ଅନ୍ୟମାନଙ୍କ ସହ ଶ୍ରୀଦେବୀ ଦୁବାଇ ଯାଇଥିଲେ। ବାହାଘର ପରେ ବୋନି ଓ ଅନ୍ୟମାନେ ଫେରି ଆସିଥିଲେ। ଶ୍ରୀଦେବୀ କିନ୍ତୁ ଜୁମୈରା ଏମିରେଟ୍‌ସ ହୋଟେଲରେ ରହିଥିଲେ। ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସେ ହଠାତ ଅସୁସ୍ଥ ଅନୁଭବ କରିଥିଳେ ଓ ହୋଟେଲ୍‌ର ବାଥ୍‌ରୁମ୍‌ରେ ପଡ଼ିଯାଇଥିଲେ। ତାଙ୍କର ହୃଦ୍‌ସ୍ପନ୍ଦନ ହଠାତ୍‌ ବନ୍ଦ ହୋଇଯାଇଥିଲା। ଅଚେତ ଅବସ୍ଥାରେ ତାଙ୍କୁ ତୁରନ୍ତ ଦୁବାଇର ରସିଦ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ମାତ୍ର ଡାକ୍ତରମାନେ ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପରେ ବିଜୁଳି ବେଗରେ ଏହି ଖବର ସବୁଆଡ଼େ ବ୍ୟାପି ଯାଇଥିଲା। ଭାରତରେ ରାତି ପାହିବା ବେଳକୁ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଥିଲା।

ଯେହେତୁ ତାଙ୍କ ମୃତ୍ୟୁ ହୋଟେଲରେ ହିଁ ହୋଇଥିଲା, ସେଥିଲାଗି ଦୁବାଇର ଆଇନ ଅନୁସାରେ ବ୍ୟାପକ ତଦନ୍ତ ଆରମ୍ଭ ହୋଇଥିଲା। ଏହି ତଦନ୍ତରେ ଶବ ବ୍ୟବଚ୍ଛେଦ ବାଧ୍ୟତାମୂଳକ। ତଦନ୍ତ ପାଇଁ ଅତିକମ୍‌ରେ ୨୪ ଘଣ୍ଟା ଲାଗିଥାଏ। ତେବେ ଭାରତୀୟ ଦୂତାବାସ ପକ୍ଷରୁ ହସ୍ତକ୍ଷେପ କରାଯିବାରୁ ସବୁ କାମ ଶୀଘ୍ର ସାରିବାକୁ ଉଦ୍ୟମ ହୋଇଥିଲା। ରବିବାର ସଂଧ୍ୟାରେ ପୋଷ୍ଟମର୍ଟମ କରାଯାଇଥିଲା।

ଏପଟେ ତାଙ୍କ ମରଶରୀର ଆଣିବାକୁ ଶିଳ୍ପପତି ଅନିଲ ଅମ୍ବାନିଙ୍କ ସ୍ୱତନ୍ତ୍ର ଘରୋଇ ଜେଟ୍‌ ବିମାନକୁ ଦୁବାଇ ପଠାଯାଇଥିଲା। ସୋମବାର ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇରେ ଆସି ପହଞ୍ଚିବ। ସୋମବାର ଦିନ ହିଁ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ରାଜନେତା, ସିନେବ୍ୟକ୍ତିତ୍ୱ, କ୍ରୀଡ଼ାବିତ୍‌, ଲେଖକ, ବୁଦ୍ଧିଜୀବୀ ଓ ସେଲିବ୍ରିଟି ଶ୍ରୀଦେବୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ବି ପ୍ରଶଂସକଙ୍କ ଶ୍ରଦ୍ଧାଞ୍ଜଳି ଛାଇ ହୋଇଯାଇଛି।

ସମ୍ବନ୍ଧିତ ଖବର