କୋଚି : ବିଜେପି ଆଜି ମେଟ୍ରୋମ୍ୟାନ୍‌ ଇ ଶ୍ରୀଧରନଙ୍କୁ କେରଳରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଖବର ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା। ପ୍ରଥ‌ମେ ରାଜ୍ୟ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ୍‌ଙ୍କ ଦ୍ବାରା ଏହି ନିଷ୍ପତ୍ତି ଘୋଷଣା କରିଥିବା ଏବଂ ପରେ କେନ୍ଦ୍ର ମନ୍ତ୍ରୀ ଭି ମୁରଲୀଧରନ୍‌ ଆଜି ସନ୍ଧ୍ୟାରେ ଏକ ଟ୍ବିଟ୍‌ କରି ଏହା ସ୍ପଷ୍ଟ କରିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଆଜି ସନ୍ଧ୍ୟାରେ ମୁରଲୀଧରନ ତାଙ୍କ ସଫେଇରେ କହିଛନ୍ତି, ଦଳର ରାଜ୍ୟ ଶାଖା ଶ୍ରୀଧରନଙ୍କୁ ନେଇ ସୁପାରିସ କରିଛି, କିନ୍ତୁ ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସୂଚନାଯୋଗ୍ୟ, କେରଳ ବିଜେପି ଇ ଶ୍ରୀଧରନଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନିର୍ବାଚନ ଲଢ଼ିବ ବୋଲି ଆଜି କେତେକ ନେତା ବୟାନ ଦେଇଥିଲେ।

Advertisment

କେରଳର ଜନସାଧାରଣଙ୍କ ପାଇଁ ଆମେ ଏକ ଦୁର୍ନୀତିମୁକ୍ତ ଏବଂ ବିକାଶ ସହ ସୁଶାସନ ଦେବାପାଇଁ ଉଭୟ ସିପିଏମ୍‌ଏବଂ କଂଗ୍ରେସକୁ ହରାଇବୁ ବୋଲି ମୁରଲୀଧରନ ମଧ୍ୟ ଟ୍ବିଟ୍‌ କରି କହିଥିଲେ। ଶ୍ରୀଧରନ୍‌ ଗତ ଫେବ୍ରୁଆରି ୨୫ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ୮୮ ବର୍ଷୀୟ ଶ୍ରୀଧରନ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ବାରା ଗଠିତ ୧୬ ଜଣିଆ ସଦସ୍ୟ ବିଶିଷ୍ଟ ରାଜ୍ୟ ନିର୍ବା‌ଚନୀ କମିଟିରେ ରହିଛନ୍ତି।