କରୋନା କବଳରୁ ଇସ୍ରୋ ବି ବାଦ ପଡ଼ିଲାନାହିଁ,  ଶ୍ରୀହରିକୋଟା ମହାକାଶ କେନ୍ଦ୍ରରେ ଲକଡାଉନ 

ବାଙ୍ଗାଲୁରୁ :  ସାରା ଭାରତରେ କରୋନା ବ୍ୟାପିଚାଲିଥିବାବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏଥିରୁ ବାଦ ପଡ଼ିନାହିଁ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ କେତେକ କର୍ମଚାରୀ ଓ ସୁରକ୍ଷା କର୍ମୀ କରୋନା ପଜିଟିଭ ହେବା ପରେ ଏହି ମହାକାଶ କେନ୍ଦ୍ରକୁ ଲକଡାଉନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଇସ୍ରୋର ସଲିଡ ପ୍ରୋପେଲାଣ୍ଟ ସ୍ପେଶ ବୁଷ୍ଟର ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ମହାକାଶ କେନ୍ଦ୍ରରେ ମୁତୟନ ହୋଇଥିବା ଜଣେ ସୁରକ୍ଷାକର୍ମୀ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ସର ହାଉସିଂ କଲୋନୀରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

କରୋନା ସଂକ୍ରମଣ ବଢିବା ପରେ ଇସ୍ରୋର ବାଙ୍ଗାଲୁରୁ ମୁଖ୍ୟ କାର୍ଯ୍ୟଳୟର ପରାମର୍ଶକ୍ରମେ  ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରକୁ ଲକଡାଉନ ଘୋଷଣା କରାଯାଇଛି । କେବଳ କିଛି ସର୍ମନିମ୍ନ ସଂଖ୍ୟକ କର୍ମଚାରୀଙ୍କୁ ନେଇ କେତେକ  ଅତ୍ୟାବଶ୍ୟକ କାର୍ଯ୍ୟ ଜାରି ରହିବ । ସଂକ୍ରମଣକୁ ଅଧିକ ବ୍ୟାପିବାରୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି  ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରର ବରିଷ୍ଠ ପ୍ରଶାସନିକ ଅଧିକାରୀ ଧନଲକ୍ଷ୍ମଣ କହିଛନ୍ତି ।

ଗତ ଏପ୍ରିଲ ମାସରୁ ସରକାର ନିର୍ମାଣ କାମକୁ ଅନୁମତି ଦେବା ପରେ ଏହି ମହାକାଶ କେନ୍ଦ୍ର ପରିସରରେ  କେତେକ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏବେ ଲକଡାଉନ ହେବା ପରେ ସେସବୁ କାମ ଅଟକିଯାଇଛି ।

ସମ୍ବନ୍ଧିତ ଖବର