ପୁଲିସ ହାତରୁ ଖସିବା ପାଇଁ ଶ୍ରୀକାନ୍ତ ତ୍ୟାଗୀ ୧୫ ଥର ଗାଡ଼ି ବଦଳାଇଥିଲା

ଲକ୍ଷ୍ନୌ : ଶ୍ରୀକାନ୍ତ ତ୍ୟାଗୀକୁ ଧରିବା ପାଇଁ ନଏଡ଼ା ପୁଲିସର ୮ଟି ଏବଂ ଏସ୍‌ଟିଏଫ୍‌ର ୪ଟି ଦଳ ନିୟୋଜିତ ହୋଇଥିଲେ। ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫେରାର ତ୍ୟାଗୀକୁ ମଙ୍ଗଳବାର ମିରଟରେ ଧରାଯାଇଛି। ପୁଲିସ ହାତରୁ ଖସିବା ପାଇଁ ନଏଡ଼ାରୁ ମିରଟ ଯିବା ଭିତରେ ସେ ୧୫ ଥର ଗାଡ଼ି ବଦଳାଇଥିବା ଜଣାପଡ଼ିଛି।

ଚାରିଦିନ ଭିତରେ ତ୍ୟାଗୀ ପୁଲିସକୁ ତିନୋଟି ରାଜ୍ୟ ବୁଲାଇଛି। ସେ ନଏଡ଼ାରୁ ଦିଲ୍ଲୀ, ତା’ପରେ ଉତ୍ତରପ୍ରଦେଶ ଯାଇ ଉତ୍ତରାଖଣ୍ଡ ଗଲା, ଉତ୍ତରାଖଣ୍ଡର ଋଷିକେଶ ଓ ହରିଦ୍ବାରରେ କିଛି ସମୟ ରହିଲା। ପୁଲିସ ତାକୁ ଉତ୍ତରାଖଣ୍ଡରେ ଠାବ କରିବା ପୂର୍ବରୁ ସେ ଉତ୍ତରପ୍ରଦେଶର ସାହାରନପୁରକୁ ଖସି ପଳାଇଲା। ସେଠାରୁ ସେ ଗଲା ବାଘପତ ଓ ମିରଟ। ସେଠାରେ ସେ ଜଣେ ଘନିଷ୍ଠ ବନ୍ଧୁଙ୍କ ଘରେ ଲୁଚିଲା।

ଶୁକ୍ରବାର ନଏଡ଼ାରୁ ଫେରାର ହେବା ବେଳେ ସେ ପ୍ରଥମେ ସିଧା ଦିଲ୍ଲୀ ବିମାନବନ୍ଦର ଯାଇଥିଲା। କିନ୍ତୁ ସେ ଯେତେବେଳେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ସେତେବେଳକୁ ସେ ନଏଡ଼ା ହାଉସିଂ ସୋସାଇଟିର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ଭାଇରାଲ ହୋଇ ସାରିଥିଲା। ଏଣୁ ଗିରଫ ହେବା ଭୟରେ ସେ ବିମାନରେ ବସି କୁଆଡ଼େ ଯିବା ଯୋଜନା ତ୍ୟାଗ କରି ଲୁଚି ରହିବାକୁ ମନସ୍ଥ କଲା।

ବରିଷ୍ଠ ପୁଲିସଙ୍କ କହିବା ଅନୁସାରେ ନଏଡ଼ା ପୁଲିସର ୮ଟି ଦଳ ତ୍ୟାଗୀ ପଛରେ ପଡ଼ିଯାଇଥିଲେ। ତା’ ସହ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ର ଚାରିଟି ଦଳ ମଧ୍ୟ ଲାଗିପଡ଼ି ତାକୁ ଖୋଜୁଥିଲେ। ନିଜକୁ ନିଜେ ବିଜେପି କର୍ମୀ କହୁଥିବା ଏହି ଗୁଣ୍ଡାକୁ ଠାବ କରିବା ପାଇଁ ଏସ୍‌ଟିଏଫ୍‌ର ଏକ ବିରାଟ ଟିମ୍ କାମରେ ଲାଗିଥିଲେ। କିନ୍ତୁ ପୁଲିସ ହାତରେ ଧରା ନ ପଡ଼ିବା ପାଇଁ ତ୍ୟାଗୀ କମ୍ ତ୍ୟାଗ କରିନି। ସେ ଘନଘନ ଗାଡ଼ି ବଦଳାଇଛି। ମୋବାଇଲ ଫୋନ୍ ସହ ତା’ର ବୈଦ୍ୟୁତିକ ଗ୍ୟାଜେଟ୍‌ଗୁଡ଼ିକ ବି ବଦଳାଇଛି।

PKBnews.in

ନିଜକୁ ବିଜେପି କର୍ମୀ ବୋଲି କହୁଥିବା ଶ୍ରୀକାନ୍ତ ତ୍ୟାଗୀର ବିଜେପି ସହ ପ୍ରକୃତରେ କି ସମ୍ପର୍କ ଅଛି ତାହା ଜାଣିବା ପାଇଁ ତଦନ୍ତକାରୀ ଦଳ ଯେତେବେଳେ ଚେଷ୍ଟା କଲେ ସେତେବେଳେ ବୁଧବାର ନୂଆ ତଥ୍ୟ ସାମନାକୁ ଆସିଲା। ନିଜକୁ ବିଜେପି କିଷାନ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବୋଲି କହୁଥିବା ତ୍ୟାଗୀକୁ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ପାଳି ସରକାରରେ ଅକ୍ଟୋବର ୮, ୨୦୧୮ରେ ତିନିଜଣ ସଶସ୍ତ୍ର ବଡିଗାର୍ଡ ଦିଆଯାଇଥିଲା। ସେତେବେଳେ ଅରବିନ୍ଦ କୁମାର ଥିଲେ ଉତ୍ତରପ୍ରଦେଶ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଗାଜିଆବାଦର ଏସ୍‌ଏସ୍‌ପି ଥିଲେ ବୈଭବ କୃଷ୍ଣ। ଯେଉଁମାନେ ତ୍ୟାଗୀକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାୟୀ ଏବେ ସେମାନଙ୍କ ବିରୋଧରେ ଯୋଗୀ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି। ପୁଲିସର ସୂଚନା ଅନୁସାରେ ଶ୍ରୀକାନ୍ତ ତ୍ୟାଗୀ ନିଜେ ଜଣେ ବଡ଼ ଖଣି ମାଫିଆ। ତା’ର ସୋନଭଦ୍ରା-ମିର୍ଜାପୁର ଅଞ୍ଚଳରେ ବିରାଟ ଖଣି ବ୍ୟବସାୟ ଅଛି।

ଅଭିଯୋଗ ଅନୁସାରେ ଶ୍ରୀକାନ୍ତ ତ୍ୟାଗୀ ନଏଡ଼ାର ସେକ୍ଟର-୯୩ବି ଅଞ୍ଚଳରେ ଥିବା ଗ୍ରାଣ୍ଡ ଓମାକ୍ସ ସୋସାଇଟିର ବାସିନ୍ଦା ଜଣେ ମହିଳାଙ୍କୁ ଗାଳିଗୁଲଜ କରିଥି‌ଲା। ଶ୍ରୀକାନ୍ତ ତ୍ୟାଗୀ କିଛି ସୋସାଇଟି ଜାଗାରେ ଗଛ ଲଗାଇବାକୁ ଚାହୁଥିଲା, ଯାହାକୁ ମହିଳା ଜଣକ ନିୟମର ଉଲ୍ଲଂଘନ କହି ବିରୋଧ କରିଥିଲେ। କିନ୍ତୁ ତ୍ୟାଗୀ କହିଥିଲା ସେ ତା’ର ଅଧିକାର ଅଛି ସେ ଗଛ ଲଗାଇବ ଏବଂ ରାଗିଯାଇ ମହିଳାଙ୍କୁ ଠେଲିଦେଲା। ଏଥି ସହ ମହିଳାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲା। ଏହାର ଭିଡିଓଟି ଭାଇରାଲ ହୋଇଗଲା।

ଏହାପରେ ନଏଡ଼ା ପୁଲିସ ତ୍ୟାଗୀ ବିରୋଧରେ ଭରତୀୟ ପିଙ୍ଗଳ କୋଡ୍‌ର ୩୫୪ ଧାରାରେ ମାମଲା ରୁଜୁ କଲା। ପରେ ତା’ ବିରୋଧରେ ୩୨୩, ୫୦୪, ୫୦୬ ଓ ୪୪୭ ଦଫା ଲଗାଗଲା। ତା’ ବିରୋଧରେ ଗ୍ୟାଙ୍ଗ୍‌ଷ୍ଟର ଆଇନ ବି ଲାଗୁ କରାଗଲା। ଏହାପରେ ଗ୍ରାଣ୍ଡ ଓମାକ୍ସ ହାଉସିଂ ସୋସାଇଟିରେ ନିଜ ଆପାର୍ଟମେଣ୍ଟ ବାହାରେ ସେ ଯେଉଁ ବେଆଇନ ନିର୍ମାଣ କରିଥିଲା ତା’ ଉପରେ ନଏଡ଼ା କର୍ତ୍ତୃପକ୍ଷ ବୁଲ୍‌ଡୋଜର ଚଲାଇଦେଲେ।

ସମ୍ବନ୍ଧିତ ଖବର