କଲମ୍ବୋ: ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଲୋକଙ୍କ ପ୍ରଦର୍ଶନ ଜାରି ରହିଛି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଇସ୍ତଫା ଘୋଷଣା ପରେ ମଧ୍ୟ ଏହି ଉତ୍ତେଜନା ବନ୍ଦ ହୋଇନାହିଁ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ଏଯାଏଁ କବଜା କରି ରଖିଥିବାବେଳେ ଶ୍ରୀଲଙ୍କାର ଆର୍ମି ଷ୍ଟାଫ୍ ଜେନେରାଲ୍ ବା ସେନା ମୁଖ୍ୟ ଶବନ୍ଦ୍ରେ ସିଲୱା ଶାନ୍ତି ବଜାୟ ରଖିବା ପାଇଁ ଲୋକଙ୍କ ସମର୍ଥନ ଲୋଡିଛନ୍ତି। ଶ୍ରୀଲଙ୍କା ସେନା ମୁଖ୍ୟ ଜେନେରାଲ ଶବନ୍ଦ୍ରେ ସିଲୱା କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ସଙ୍କଟକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାର ସୁଯୋଗ ରହିଛି । ଦେଶରେ ଶାନ୍ତି ବଜାୟ ରଖିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି।
ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ସଶସ୍ତ୍ର ବାହିନୀ ଏବଂ ପୁଲିସକୁ ସମର୍ଥନ କରିବାକୁ ସେ ସମସ୍ତ ଶ୍ରୀଲଙ୍କାବାସୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଆଜି ଆଉ ଜଣେ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଧାମିକା ପେରେରା ଆଜି ନିବେଶ ପ୍ରୋତ୍ସାହନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅଶାନ୍ତି ମଧ୍ୟରେ ଗତ ଦୁଇ ଦିନ ମଧ୍ୟରେ ହରିନ୍ ଫର୍ନାଣ୍ଡୋ, ମନୁଷା ନାନାୟାକରା ଏବଂ ବାନ୍ଦୁଲା ଗୁନାଭାର୍ଡନଙ୍କ ପରେ ସେ ଚତୁର୍ଥ ମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ପ୍ରବେଶ କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଇସ୍ତଫା ପ୍ରସ୍ତାବ ପରେ ମଧ୍ୟ ତାଙ୍କ ଘରେ ନିଆଁ ଲଗାଇଦେଇଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/cffff.jpg)