କଲମ୍ବୋ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆସନ୍ତା ୨୪ ତାରିଖରେ ଶ୍ରୀଲଙ୍କା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଆଜି ଶ୍ରୀଲଙ୍କା ସରକାର ଏହି କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି । ଏହା ଫଳରେ ପାକିସ୍ତାନ ଲଜ୍ଜିତ ହୋଇଛି ।

Advertisment

ଶ୍ରୀଲଙ୍କାର ଏକ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରାୟ ସବୁ ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ  ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଶ୍ରୀଲଙ୍କା ସରକାର ଏହି ପଦକ୍ଷେପ ନେଇଛନ୍ତି । ଶ୍ରୀଲଙ୍କାର ସଂସଦରେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ତାହା ଭାରତ ଓ ଶ୍ରୀଲଙ୍କା ସଂପର୍କ ଉପରେ କୁପ୍ରଭାବ ପକାଇବାର ଆଶଙ୍କା ଥିଲା । ଆହୁରି ମଧ୍ୟ ଗତ ୨୦୧୫ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ସଂସଦକୁ ସମ୍ବୋଧିତ କରିଥିଲେ । ଇମ୍ରାନଙ୍କୁ ସମାନ ମଞ୍ଚ ପ୍ରଦାନ କରି ଶ୍ରୀଲଙ୍କା ସରକାର ମୋଦୀ ଓ ଇମ୍ରାନଙ୍କୁ ସମାନ ମାନ୍ୟତା ପ୍ରଦାନ କରିବାକୁ ଚାହୁଁନଥିଲେ । ଶ୍ରୀଲଙ୍କା ଦ୍ବାରା ଇମ୍ରାନଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ବାତିଲ କରାଯିବା ଭାରତ ପାଇଁ ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି ।

ଇମ୍ରାନ ଖାଁ ଆସନ୍ତା ୨୨ ତାରିଖରେ ଏକ ଦୁଇଦିନିଆ ଶ୍ରୀଲଙ୍କା ଗସ୍ତରେ ଆସୁଛନ୍ତି । ସେ ଏହି ଅବସରରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ, ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ଭେଟିବେ ।