ଶ୍ରୀଲଙ୍କା ବୋମା ବିସ୍ଫୋରଣ ଘଟଣା : ଇସ୍ତଫା ଦେଲେ ପ୍ରତିରକ୍ଷା ସଚିବ ଓ ପୁଲିସ ମୁଖ୍ୟ

କଲମ୍ବୋ : ଶ୍ରୀଲଙ୍କାରେ ଗତ ରବିବାରଦିନ ହୋଇଥିବା ସିରିଜ ବୋମା ବିସ୍ଫୋରଣ ଘଟଣା ଲାଗି ନିଜକୁ ଦାୟୀ କରି ଇସ୍ତଫା ଦେଇଛନ୍ତି ଦେଶର ପ୍ରତିରକ୍ଷା ସଚିବ ହେମସିରି ଫର୍ଣ୍ଣାଣ୍ଡୋ । ଏହା ସହିତ ପୁଲିସ ଆଇଡି ପୁଜିଥ ଜୟସୁନ୍ଦର ମଧ୍ୟ ଇସ୍ତଫା ଦେଇଛନ୍ତି । ଦେଶରେ ହୋଇଥିବା ଏତେ ବଡ଼ ଆତଙ୍କବାଦୀ କାଣ୍ଡକୁ ଅଟକେଇବାରେ ଅସଫଳ ହେବାରୁ ସେମାନଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ନିର୍ଦ୍ଦେଶ ଦେଇଥିଲେ । ଉଭୟ ଅଧିକାରୀ ଗୁରୁବାରଦିନ ନିଜ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଦେଇଛନ୍ତି ।

ଗତ ରବିବାରଦିନ ଇଷ୍ଟରପର୍ବ ଅବସରରେ କଲମ୍ବୋରେ ଲଗାତାର୯ଟି ବୋମା ବିସ୍ଫୋରଣ ଘଟି ମୋଟ ପ୍ରାୟ ୩୬୦ ବ୍ୟକ୍ତି ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଶ୍ରୀଲଙ୍କାର ଗୁଇନ୍ଦା ବିଭାଗ ଆଗକୁ ଆହୁରି ବିସ୍ଫୋରଣର ହେବାର ଆଶଙ୍କା ବ୍ୟକ୍ତ କରୁଥିବାରୁ କଲମ୍ବୋରେ ଏବେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଗୁରୁବାରଦିନ ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ଟାଉନରେ ଆଉ ଏକ ଛୋଟ ଧରଣର ବିସ୍ଫୋରଣ ହୋଇଛି । ଏଥିରେ କୌଣସି ଜନଜୀବନ ହାନୀ ହୋଇନାହିଁ ।

ସମ୍ବନ୍ଧିତ ଖବର