ଶ୍ରୀଲଙ୍କା ଆର୍ଥିକ ସଂକଟ : ଦିନକୁ ୧୩ ଘଣ୍ଟା ପାଓ୍ବାର କଟ୍, ଷ୍ଟ୍ରିଟ୍ ଲାଇଟ୍ ଲିଭାଇବାକୁ ନିର୍ଦ୍ଦେଶ

କଲମ୍ବୋ : ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଦିନକୁ ଦିନ ଅଧିକ ଉତ୍କଟ ହେଲାଣି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ  ବିଜୁଳି ସଂକଟ ଦେଖାଦେଇଛି । ଏଥିପାଇଁ ଦିନକୁ ୧୩ ଘଣ୍ଟା ବିଜୁଳି କାଟ ହେଉଛି । ପୁଣି ଏହି କାରଣରୁ ଷ୍ଟ୍ରିଟ୍ ଲାଇଟ୍ ଲିଭାଇବାକୁ ଶ୍ରୀଲଙ୍କା ସରକାର ନିଷ୍ପତ୍ତି ନେଇଛନ୍ତି ।

ଶ୍ରୀଲଙ୍କାର ଶକ୍ତିମନ୍ତ୍ରୀ ପବିତ୍ରା ଓ୍ବାନିରାଚ୍ଚି କହିଛନ୍ତି ଯେ ଶକ୍ତି ସଂଚୟ ପାଇଁ ଷ୍ଟ୍ରିଟ୍ ଲାଇଟ ସବୁ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ଣ ଋତୁ ଯୋଗୁଁ ଦେଶର ଜଳଭଣ୍ଡାର ଗୁଡ଼ିକ ଶୁଷ୍କ ହୋଇଯାଇଛି । ଆସନ୍ତା ମେ ମାସ ଶେଷ ବେଳକୁ ବର୍ଷା ହେଲେ ଜଳଭଣ୍ଡାରରେ ପାଣି ଆସିବ । ସେତେପର୍ଯ୍ୟନ୍ତ ଦେଶରେ ପାଓ୍ବାର କଟ୍ ଜାରି ରହିବ । ଆମେ ଏବେ କିଛି କରିପାରିବୁ ନାହିଁ ।

ବର୍ଷା ଅଭାବ ଯୋଗୁଁ ଶ୍ରୀଲଙ୍କାର ନଦୀଗୁଡ଼ିକ ଶୁଷ୍କ ହୋଇଯାଇଛି । ଜଳଭଣ୍ଡାର ଗୁଡ଼ିକରେ ଜଳସ୍ତର ରେକର୍ଡ ନିମ୍ନକୁ ଖସିଯାଇଛି । ଏଥିପାଇଁ ଜଳବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହୋଇଛି । ସେପଟେ କୋଇଲା ଆମଦାନୀ ପାଇଁ ବୈଦେଶିକ ମୁଦ୍ରା ନଥିବାରୁ ତାପଜ ବିଦ୍ୟୁତ ଉତ୍ପାଦନ ବି ପ୍ରଭାବିତ ହୋଇଛି । ଏଥିପାଇଁ ଦେଶରେ ବିଜୁଳି ସଂକଟ ଦେଖାଦେଇଛି । ଦିନକୁ ପ୍ରାୟ ୧୩ ଘଣ୍ଟା ପାଓ୍ବାର କଟ ହେଉଥିବାବେଳେ ଷ୍ଟକ ଏକ୍ସଚେଞ୍ଜରେ ଦିନକୁ ମାତ୍ର ୨ ଘଣ୍ଟା ପାଇଁ ଟ୍ରେଡିଂ ହେଉଛି ।

ସମ୍ବନ୍ଧିତ ଖବର