ବଢ଼ୁଛି ଶ୍ରୀଲଙ୍କା ସଂକଟ, ସଂସଦକୁ ସସ୍‌ପେଣ୍ଡ କଲେ ରାଷ୍ଟ୍ରପତି ସିରିସେନା

ଭାରତର ଚିନ୍ତା ବଢ଼ାଇଲା ରାଜପକ୍ଷେଙ୍କ ‌େଲଉଟାଣି, ଚୀନ୍‌କୁ ମିଳିବ ସମସ୍ତ ନିବେଶ ସୁଯୋଗ

କଲମ୍ବୋ: ଶ୍ରୀଲଙ୍କାରେ ରାଜନୈତିକ ସଂକଟ ଏବେ ଚରମସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ଆଜି ସଂସଦକୁ ସସ୍‌ପେଣ୍ଡ କରିଦେଇଛନ୍ତି। ନାଟକୀୟ ଘଟଣାକ୍ରମେ ଶୁକ୍ରବାର ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂଘେଙ୍କୁ ବହିଷ୍କାର କରି ସିରିସେନା ଦେଶର ପୂର୍ବ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି। ଅନ୍ୟପକ୍ଷରେ ଏହା ଭାରତ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି। ରାଜପକ୍ଷେ ଚୀନ୍‌ର ଜଣେ ଦୃଢ଼ ସମର୍ଥକ ତଥା ସହଯୋଗୀ ରହିଆସିଥିବା ‌ବେଳେ ଭାରତ ପ୍ରତି ସର୍ବଦା ନକାରାତ୍ମକ କାର୍ଯ୍ୟ କରିଛନ୍ତି। ଭାରତ ଉପରେ ତାଙ୍କର ପୁରୁଣା ରାଗ ମଧ୍ୟ ରହିଛି। ୨୦୧୫ରେ ରାଜପକ୍ଷେଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଭାରତ ନିଜ ପ୍ରଭାବକୁ ବ୍ୟବହାର କରିଥିଲା। ଏହାଦ୍ବାରା ଭାରତ ସିରିସେନା ଏବଂ ବିକ୍ରମସିଙ୍ଘେ ମଧ୍ୟରେ ବୁଝାମଣା କରାଇଥିଲା। ଫଳରେ ରାଜପକ୍ଷେ ଗାଦିଚ୍ୟୁତ ହୋଇଥିଲେ। ବର୍ତ୍ତମାନ ରାଜପକ୍ଷେ ପୁଣି ପ୍ରଧାନମନ୍ତ୍ରୀ ହୋଇଥିବାରୁ ଭାରତ ପାଇଁ ଏହା ଆଦୌ ଭଲ ଖବର ନୁହେ‌ଁ ବୋଲି କୁହାଯାଉଛି।

ସୂଚନାଥାଉ କି ଚୀନ୍‌ ଏହାର ଋଣ ଜାଲ ଓ କୂଟନୀତିକୁ ପ୍ରୟୋଗ କରି ଶ୍ରୀଲଙ୍କା ଉପରେ ପ୍ରଭାବ ବିସ୍ତାର କରିଥିଲା। ଫଳ ସ୍ବରୂପ ରାଜପକ୍ଷେ ଚୀନ୍‌ ସହିତ ଗୁରୁତ୍ବପୂର୍ଣ୍ଣ ରଣନୀତିକ ଚୁକ୍ତି କରିଥିଲେ। ଏହି ଚୁକ୍ତି ଦ୍ବାରା ଚୀନ୍‌କୁ ଶ୍ରୀଲଙ୍କା ଏହାର ହମ୍ବାଣ୍ଟୋଟା ବନ୍ଦରକୁ ଦୀର୍ଘମିଆଦୀ ଭଡ଼ା ସୂତ୍ରରେ ଦେଇଥିଲା। ଫଳରେ ଚୀନ୍‌ ଏହାର କାରବାରକୁ ସୁଦୃଢ଼ କରିବାକୁ ସୁଯୋଗ ପାଇଥିଲା। ଖାଲି ସେତିକି ନୁହେଁ, କଲମ୍ବୋ ବନ୍ଦର ନିର୍ମାଣ ପାଇଁ ମଧ୍ୟ ଚୀନ୍‌କୁ ସୁଯୋଗ ମିଳିଥିଲା। ଫଳରେ ପର୍ଯ୍ୟାପ୍ତ ପରିମାଣର ନିବେଶ କରି ଚୀନ୍‌ ଲାଭବାନ ହୋଇଥିଲା। ଅନ୍ୟପକ୍ଷରେ ଭାରତକୁ କୌଣସି ସୁଯୋଗ ମିଳିନଥିଲା। ଏବେ ରାଜ‌ପକ୍ଷେ ପୁଣି କ୍ଷମତାକୁ ଫେରିଥିବାରୁ ଚୀନ୍‌କୁ ସମସ୍ତ ସୁଯୋଗ ମିଳିବ ଏବଂ ଭାରତକୁ ସମ୍ପୂର୍ଣ୍ଣ ଅଣଦେଖା କରାଯିବ। ଶ୍ରୀଲଙ୍କାର ଗୃହଯୁଦ୍ଧ ପରେ ରାଜପକ୍ଷେ ଚୀନ୍‌ର ସହାୟତା ନେଇଥିଲେ। ଫଳରେ ଚୀନ୍‌କୁ କୋଟି କୋଟି ଡଲାର ନିବେଶ ସୁଯୋଗ ମିଳିଥିଲା। ଶ୍ରୀଲଙ୍କାର ଶାସକ ମେଣ୍ଟ ମଧ୍ୟରେ ସମସ୍ୟା ଦେଖାଯିବା ଯୋଗୁ ଗତ ୩ ମାସ ହେଲା ରାଷ୍ଟ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଥିପାଇଁ ୩ ପ୍ରମୁଖ ନେତା ଭାରତର ସହାୟତା ଲୋଡ଼ିଥିଲେ। କିନ୍ତୁ ସେମାନଙ୍କୁ ନୂଆଦିଲ୍ଲୀ ଅଟକାଇଥିଲା। ଗତ ସପ୍ତାହରେ ବିକ୍ରମସିଙ୍ଘେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ। ଏମିତି କି ନେପାଳରେ ଅନୁଷ୍ଠିତ ବିମ୍‌ଷ୍ଟେକ୍ ସମ୍ମିଳନୀରେ ସିରିସେନା ମଧ୍ୟ ମୋଦୀଙ୍କ ସହିତ ରାଜନୈତିକ ସଂକଟ ବାବଦରେ ଆଲୋଚନା କରିଥିଲେ। ସେହିଭଳି କ୍ଷମତାଚୁତ ହେବା ପରେ ମଧ୍ୟ ରାଜପକ୍ଷେ ବାରମ୍ବାର ମୋଦୀଙ୍କୁ ଭେଟିଥିଲେ। ବର୍ତ୍ତମାନ ରାଜପକ୍ଷେଙ୍କୁ ନେଇ ଭାରତର ଚିନ୍ତା ବଢ଼ିବାରେ ଲାଗିଛି। ରାଜପକ୍ଷେଙ୍କ ଅମଳରେ ଚୀନ୍‌କୁ ବିପୁଳ ସୁଯୋଗ ମିଳିଥିଲା। ରାଜପକ୍ଷେ ପୁଣି କ୍ଷମତାକୁ ଫେରିଥିବାରୁ ଚୀନ୍‌କୁ ପୁଣି ସବୁ ସୁଯୋଗ ମିଳିବ। ଗତ ସପ୍ତାହରେ ଶ୍ରୀଲଙ୍କାର ଇଷ୍ଟର୍ଣ୍ଣ କଣ୍ଟେନର ଟର୍ମିନାଲ୍‌ (ଇସିଟି)କୁ ଭାରତକୁ ନଦେବା ପାଇଁ ଦେଶର ବନ୍ଦର ମନ୍ତ୍ରୀ ମହିନ୍ଦା ସମରସିଙ୍ଘେ କହିଥିଲେ। ୨୦୧୭ରେ ଶ୍ରୀଲଙ୍କା ଏହାର ଅନେକ ପ୍ରକଳ୍ପ କାର୍ଯ୍ୟ ଭାରତକୁ ଦେବ ବୋଲି ଚୁକ୍ତି କରିଥିଲା। କିନ୍ତୁ ରାଜପକ୍ଷେଙ୍କ ଲେଉଟାଣି ପରେ ତାହା ଆଉ ସମ୍ଭବ ହୋଇନପାରେ ବୋଲି ଆଶଙ୍କା ଦେଖାଦେଇଛି। ଶ୍ରୀଲଙ୍କାର କୌଣସି ସମ୍ପତ୍ତିକୁ ବାହାର ରାଷ୍ଟ୍ରକୁ ନଦେବା ପାଇଁ ନିକଟରେ ସିରିସେନା ଘୋଷଣା କରିଥିଲେ। କିନ୍ତୁ ଚୀନ୍‌କୁ ହମ୍ବାଣ୍ଟୋଟା ବନ୍ଦର ୯୯ ବର୍ଷ ପାଇଁ ଲିଜ୍‌ରେ ଦିଆଯିବା କ୍ଷେତ୍ରରେ ତାଙ୍କର ହିଁ ହାତ ରହିଥିଲା। ରାଜପକ୍ଷେଙ୍କ ଆଭିମୁଖ୍ୟକୁ ପାଥେୟ କରି ସିରିସେନା ତାଙ୍କ ଭଳି ପଦକ୍ଷେପ ନେଇଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ଋଣ ବୋଝରେ ଉବୁଟୁବୁ ହୋଇ ଚୀନ୍‌ର ଶରଣ ପଶିଛି ଏବଂ ଚୀନ୍‌କୁ ନିବେଶ ସୁଯୋଗ ଯୋଗାଇ ଦେଉଛି। କିନ୍ତୁ ଭାରତ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଛି।

ସମ୍ବନ୍ଧିତ ଖବର