କଲମ୍ବୋ : ଶ୍ରୀଲଙ୍କାର ଏହି ଘୋର ଦୁର୍ଦ୍ଦିନରେ କେବଳ ଭାରତ ହିଁ ସହାୟତା କରିଚାଲିଛି । ଏଥିପାଇଁ ଶ୍ରୀଲଙ୍କାର ଲୋକମାନଙ୍କଠାରୁ ଆରମ୍ଭ କରି ନେତା ଓ କ୍ରିକେଟ୍ ଖେଳାଳୀମନେ ଭାରତର ପ୍ରସଂଶା କରିଚାଲିଛନ୍ତି । ଶ୍ରୀଲଙ୍କାର  ବିରୋଧୀ ଦଳ ନେତା ସଜିଥ ପ୍ରେମଦାସା ଆଜି ସହାୟତା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି ।

Advertisment

ଏକ ଟୁଇଟ୍ କରି ସେ ଲେଖିଛନ୍ତି ଯେ, ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ଯିଏ ବି ହୁଅନ୍ତୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତର ସବୁ ରାଜନୈତିକ ଦଳ ଓ ଜନସାଧାରଣ ଏହି ସଂକଟ ସମୟରେ ଶ୍ରୀଲଙ୍କା ଓ ଏହାର ଲୋକମାନଙ୍କ ପ୍ରତି ନିଜର ସହାୟତା ଜାରି ରଖନ୍ତୁ ଓ ଏହି ସଂକଟରୁ ଉଦ୍ଧାର ପାଇଁ ସହାୟକ ହୁଅନ୍ତୁ ।

ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କା ଏବେ ୧୯୪୮ରେ ନିଜର ସ୍ବାଧୀନତା ପରଠାରୁ ସବୁଠାରୁ ବଡ଼ ସଂକଟ ଦେଇ ଗତିକରୁଛି । ଖାଦ୍ୟ, ଔଷଧ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଏହି ଦେଶର ଲୋକମାନେ ସଂଘର୍ଷ କରୁଛନ୍ତି । ଏହାଫଳରେ ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ହିଂସାକାଣ୍ଡ କରୁଛନ୍ତି । ଲୋକଙ୍କ ଆନ୍ଦୋଳନ ପରେ ରାଷ୍ଟ୍ରପତି ଗୋଟାବାୟା ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଗାଦି ଛାଡ଼ିବା ପରେ ବି ସ୍ଥିତିରେ କୌଣସି ସୁଧାରର ଲକ୍ଷଣ ଦେଖାଯାଉ ନାହିଁ ।  ଶ୍ରୀଲଙ୍କାର ସହାୟତା ପାଇଁ ଭାରତ ଏପର୍ଯ୍ୟନ୍ତ ୪ ବିଲିୟନ ଡଲାରର ସହାୟତା ଯୋଗାଇ ଦେଇଛି ।