୧୪ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

ଚେନ୍ନାଇ : ସାମୁଦ୍ରିକ ସୀମା ଉଲ୍ଲଙ୍ଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ୧୪ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ଆଉ ଏକ ପୃଥକ୍ ଘଟଣାରେ ଶ୍ରୀଲଙ୍କା ନୌସୈନିକଙ୍କ ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କ ଆଖିରେ ଆଘାତ ଲାଗିଥିବା ଜଣାପଡ଼ିଛି ।

ଆହତ ମତ୍ସ୍ୟଜୀବୀଙ୍କ ନାମ ଜନସନ ଓ ସେ ରାମେଶ୍ବରମର ବାସିନ୍ଦା ବୋଲି ଜଣାପଡିଛି। ସେ  ବୁଧବାର ବିଳମ୍ବିତ ରାତିରେ ଶ୍ରୀଲଙ୍କା ନୌସେନା କର୍ମଚାରୀମାନେ ତାଙ୍କୁ ଆକ୍ରମଣ କରିବା ଯୋଗୁଁ ତାଙ୍କ ଆଖିରେ ଆଘାତ ଲାଗିଥିବା କହିଛନ୍ତି ।

ଅନ୍ୟପକ୍ଷରେ ଗିରଫ ହୋଇଥିବା ୧୪ ମତ୍ସ୍ୟଜୀବୀ ତାମିଲନାଡ଼ୁର ନାଗାପଟ୍ଟନମ ଜିଲ୍ଲାର ଅଧିବାସୀ ବୋଲି ଜଣାପଡ଼ିଛି । ଶ୍ରୀଲଙ୍କା ନୌସେନା ପକ୍ଷରୁ ସେମାନଙ୍କ ଡଙ୍ଗାକୁ ବି ଜବତ କରାଯାଇଛି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ମତ୍ସ୍ୟଜୀବୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଗତ ନଭେମ୍ବର ୬ ତାରିଖରେ ମଧ୍ୟ ଶ୍ରୀଲଙ୍କାର ନୌସେନା ୧୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା । ଶ୍ରୀଲଙ୍କା ଜଳସୀମା ମଧ୍ୟରେ ପ୍ରବେଶ କରି ମାଛ ମାରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା । ଏହା ସହିତ ସେମାନଙ୍କ ୨ଟି ଟ୍ରଲରକୁ ବି ଜବତ କରାଯାଇଥିଲା । ସେମାନଙ୍କୁ ଶ୍ରୀଲଙ୍କାର ତାଲାଇମାନ୍ନାରଠାରେ ଗିରଫ କରି ରଖାଯାଇଛି ।

ବାରମ୍ବାର ଭାରତୀୟ ମତ୍ସ୍ୟଜୀବୀକୁ ଶ୍ରୀଲଙ୍କା ପକ୍ଷରୁ ଗିରଫ କରାଯାଉଥିବାରୁ ଭାରତ ପକ୍ଷରୁ ପୂର୍ବରୁ ଅନେକ ଥର ଶ୍ରୀଲଙ୍କା ସରକାରଙ୍କ ସହ ଆଲୋଚନା କରାଯାଇଥିଲା । କିନ୍ତୁ ଏହାର କୌଣସି ସୁଫଳ ମିଳୁନାହିଁ ।

 

 

ସମ୍ବନ୍ଧିତ ଖବର