କଲମ୍ବୋ : ଶ୍ରୀଲଙ୍କାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡ଼ି ଫେରାର ହୋଇଯିବା ପରେ ଦେଶର ଜନତା ଆନ୍ଦୋଳନକୁ ତୀବ୍ର କରିଛନ୍ତି । ବୁଧବାରଦିନ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ତଥା କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ସେହିପରି ଶ୍ରୀଲଙ୍କାର ସରକାରୀ ଟେଲିଭିଜନ ଚ୍ୟାନେଲ ଶ୍ରୀଲଙ୍କା ରୂପବାହିନୀ କର୍ପୋରେସନର ଷ୍ଟୁଡିଓକୁ ଅକ୍ତିଆର କରିନେଇଛନ୍ତି ଉଗ୍ର ଜନତା । ଏହା ଫଳରେ ଲାଇଭ ଟିଭି ପ୍ରସାରଣକୁ ବନ୍ଦ କରିଦିଆଯାଇଛି । କେତେକ ବିକ୍ଷୋଭକାରୀ ଯୁବକ ଟିଭି ପ୍ରସାରଣ ଚାଲିଥିବାବେଳେ ଷ୍ଟୁଡିଓରେ ପ୍ରବେଶକରି ଆନ୍ଦୋଳନ ସଂପର୍କରେ ଭାଷଣ ଦେଇଛନ୍ତି ।
ଏହା ପୂର୍ବରୁ ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଏହା ପରେ ବିଭିନ୍ନ ସହର ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସେନା ମୁତୟନ ହୋଇଥିଲେ ବି ଆନ୍ଦୋଳନ ଜାରି ରହିଛି । କେତେକ କ୍ଷେତ୍ରରେ ସେନା ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି ।
ଅନ୍ୟପକ୍ଷରେ ମାଳଦ୍ବୀପ ପଳାଇଯାଇଥିବା ଗୋଟାବାୟା ରାଜପକ୍ଷେ ସେଠାରୁ ସିଂଗାପୁର ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଲମ୍ବୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଥିବା ଆମେରିକୀୟ ଦୂତାବାସ ନିଜର ସମସ୍ତ ସେବାକୁ ବନ୍ଦ କରିଦେଇଛି । ସ୍ଥିତିରେ ସୁଧାର ଆସିଲେ ସେବା ପୁଣି ଆରମ୍ଭ କରାଯିବ ବୋଲି ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ।