ନୂଆଦିଲୀ : ଦିଲ୍ଲୀର ପଞ୍ଜାବିବାଗ ରିଙ୍ଗ୍ ରୋଡ୍ ନିକଟରେ ଥିବା ଭାରତ ଦର୍ଶନ ପାର୍କରେ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ସ୍ଥାପନ କରାଯିବ। ପାର୍କରେ ଓଡ଼ିଶା ସମେତ ଦେଶର ୧୪ଟି ରାଜ୍ୟର ୧୭ ଟି ପ୍ରତିକୃତି ସ୍ଥାପନ କାର୍ଯ୍ୟ ଏମ୍ସିଡି ପକ୍ଷରୁ ଯୋଜନା କରାଯାଉଛି। ବିବିଧତା ମଧ୍ୟରେ ଏକତା ଏହି ପାର୍କର ଆଭିମୁଖ୍ୟ ଥିବାରୁ ବିଭିନ୍ନ ରାଜ୍ୟର ପ୍ରସିଦ୍ଧ କଳାକୃତିଗୁଡ଼ିକୁ ଏଠାରେ ସ୍ଥାନ ଦିଆଯାଇଛି।
ଚଳିତ ମାସ ଶେଷ ସୁଦ୍ଧା ୧୭ଟି ପ୍ରତିକୃତିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଦକ୍ଷିଣ ଏମ୍ସିଡିର ଅଧିକାରୀ କହିଛନ୍ତି। ଛଅ ଏକର କ୍ଷେତ୍ରଫଳ ବିଶିଷ୍ଟ ଏହି ପାର୍କରେ ଶ୍ରୀମନ୍ଦିର ପ୍ରତିକୃତି ପାଇଁ ୨୬ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିବା ବେଳେ କୋଣାର୍କ ମନ୍ଦିରର ପ୍ରତିକୃତି ପାଇଁ ୫୯ ଲକ୍ଷ ୯ ହଜାର ୫ ଶହ ଟଙ୍କା ଖର୍ଚ୍ଚ କରାଯାଇସାରିଲାଣି । ଅକ୍ଟୋବର ପ୍ରଥମ ସପ୍ତାହରେ ପାର୍କକୁ ଉଦ୍ଘାଟନ କରାଯିବା ସମ୍ଭାବନା ରହିଛି।