ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ପରିଚାଳନାଗତ ଅବ୍ୟବସ୍ଥାକୁ ନେଇ ଚଳିତବର୍ଷ ଜୁନ୍ ୮ରେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଯେଉଁ ଏକାଧିକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ତାକୁ ଇଣ୍ଟରକଣ୍ଟିନେଣ୍ଟାଲ୍ ଆସୋସିଏସନ୍ ଅଫ୍ ଲୟର୍ସ ସଂସ୍ଥା ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ଗତ ଜୁନ୍ ୮ରେ ଜାରି କରାଯାଇଥିବା ଆଦେଶ କିପରି ଓ େକଉଁ ପରିସ୍ଥିତିରେ ଜାରି କରାଯାଇଥିଲା, ତାହାର ତଦନ୍ତ ସୁପ୍ରିମ୍ କୋର୍ଟର ୫ ଜଣିଆ ବିଚାରପତି ବିଶିଷ୍ଟ ଟିମ୍ ଦ୍ବାରା କରାଯିବା ପାଇଁ ଆଜି ସୁପ୍ରିମ୍ େକାର୍ଟେର ଦେବାଶିଷ ମିଶ୍ର ତ୍ବରିତ ଆବେଦନ କରିଛନ୍ତି। ଉକ୍ତ ଟିମ୍ ତଦନ୍ତ ଶେଷ କରି ମାସକ ଭିତରେ ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଦେବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି।
ତ୍ବରିତ ଆବେଦନରେ ରତ୍ନ ଭଣ୍ଡାର ଚାବି ହଜିବା ମାମଲାରେ ମୁଖ୍ୟ ପ୍ରଶାସକଙ୍କ ଦ୍ବାରା ଭାରତୀୟ ପତ୍ନତାତ୍ତ୍ବିକ ବିଭାଗକୂ ସୂଚନା ଦେବା ଏବଂ ଚାବି ହଜିବା ମାମଲାର ତଦନ୍ତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହାଇକୋର୍ଟର ସେବା ନିବୃତ୍ତ ବିଚାରପତିଙ୍କ ଦ୍ବାରା ମାମଲାର ତଦନ୍ତ ନିର୍ଦ୍ଦେଶ ଦେବା ସମ୍ପର୍କରେ ମଧ୍ୟ ପ୍ରଶ୍ନ କରାଯାଇ ପାଞ୍ଚଜଣିଆ ବିଚାରପତିଙ୍କ ଦ୍ବାରା ଏହାର ପରୀକ୍ଷା ପାଇଁ କୁହାଯାଇଛି। ସେହିପରି ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ସମ୍ପର୍କରେ ଦାଖଲ କରାଯାଇଥିବା ମୂଳ ରିଟ୍ ପିଟିସନ୍ ଯାହା ଜରୁରୀ ଶୁଣାଣି କ୍ୟାଟେଗୋରିରେ ନଥିବା ସତ୍ତ୍ବେ ଅବକାଶକାଳୀନ ବେଞ୍ଚ୍େର ଶୁଣାଣି ପାଇଁ କିଭଳି ତାଲିକାଭୁକ୍ତ ହେଲା ତାହା ପରୀକ୍ଷା ପାଇଁ କୁହାଯାଇଛି। ରିଟ୍ ପିଟିସନ୍ର ଶୁଣାଣି ବେଳେ ପ୍ରଥମ ଥର ପାଇଁ ସମସ୍ତ ପ୍ରତିପକ୍ଷ ଓକିଲ ଓ ଆଡିସନାଲ ସଲିିସିଟର ଜେନେରାଲ କିଭଳି ଉପସ୍ଥିତ ଥିଲେ ସେନେଇ ତ୍ବରିତ ଆବେଦନରେ ପ୍ରଶ୍ନ ଉଠାଯାଇଛି। ତେବେ ଏହି ଆବେଦନକୁ ଶୁଣାଣି ପାଇଁ ସୁପ୍ରିମ୍ କୋର୍ଟ ଗ୍ରହଣ କରିବେ କି ନା’ ତାହା ଅକ୍ଟୋବର ୩୧ରେ ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି।