ଶ୍ରୀମନ୍ଦିର ସଂସ୍କାର ମାମଲା : ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଦାଖଲ କରାଯିବ ଅତିରିକ୍ତ ସତ୍ୟପାଠ!

ନୂଆଦିଲ୍ଲୀ : ଶ୍ରୀମନ୍ଦିର ସଂସ୍କାର ମାମଲାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଗତ ନଭେମ୍ବର ୪ରେ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ସୁପ୍ରିମକୋର୍ଟ ଅନ୍ତରୀଣ ଆଦେଶନାମା ଜାରି କରିଥିଲେ। ଏହି ଆଦେଶନାମାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ଅତିରିକ୍ତ ସତ୍ୟପାଠରେ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ଆଉ ଦୁଇ-ତିନୋଟି ପରାମର୍ଶ କୋର୍ଟକୁ ଦିଆଯାଇ ନିର୍ଦ୍ଦେଶ ଜାରି କରିବା ପାଇଁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ, ଯାଦ୍ବାରା ନିର୍ଦ୍ଦେଶଗୁଡ଼ିକୁ କାର୍ଯ୍ୟକାରୀ କରାଯାଇପାରିବ। ଚଳିତ ମାସ ୮ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବାରୁ ଶୁଣାଣିର ଦିନକ ପୂର୍ବରୁ ଅତିରିକ୍ତ ସତ୍ୟପାଠ ଦାଖଲ କରାଯିବ ବୋଲି ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାର ମାମଲାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପକ୍ଷଭୂକ୍ତ ହୋଇ ନଥିବାବେଳେ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ସେ ତାଙ୍କର ପରାମର୍ଶ ପୂର୍ବରୁ କୋର୍ଟରେ ଦାଖଲ କରିଥିଲେ। ନଭେମ୍ବର ୪ରେ ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଯେଉଁ ୫୭ ପୃଷ୍ଠାର ନିର୍ଦ୍ଦେଶାନାମା ଜାରି କରିଥିଲେ ସେଥିରେ ଖଣ୍ଡପୀଠ କହିଥିଲେ ଯେ, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଆସୁଛନ୍ତି। ଠାକୁରଙ୍କ କେଉଁ ନୀତି କିଭଳି ସମାହିତ ହେବ ତାହା କୋର୍ଟ ଧାର୍ଯ୍ୟ କରିପାରିବେ ନାହିଁ। କିନ୍ତୁ ଯେଉଁ ନୀତି ଶ୍ରୀମନ୍ଦିରରେ ଅନୁସୃତ ତାହାର ଶତପ୍ରତିଶତ ଅନୁପାଳନ ହେବା ଉଚିତ୍। ଠିକ୍ ସମୟରେ ତଥା ନିୟମିତ ଭାବେ ତଥା ବିନା ବାଧାବିଘ୍ନରେ ନୀତିକାନ୍ତି ଯେଭଳି ସମାପନ ହେବ ସେନେଇ କୋର୍ଟ ଗୁରୁତ୍ବାରୋପ କରିଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କିଭଳି କାର୍ଯ୍ୟକାରୀ କରାଯାଇ ପାରିବ, ସେ ନେଇ ଅତିରିକ୍ତ ସତ୍ୟପାଠ ଦାଖଲ ମାଧ୍ୟମରେ ଜଗ୍‌ଦଗୁରୁ ଶଙ୍କରାଚାର୍ଯ୍ୟ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର